Sunday, October 10, 2010

ନେତୃତ୍ୱ-ପଟୁ ବ୍ୟକ୍ତିତ୍ୱ
ବିଶ୍ୱବିଖ୍ୟାତ କୋଣାର୍କ ମନ୍ଦିର ନିର୍ମାଣ କାଳରେ ବିଶୁ ମହାରଣା ଆସନ୍ନପ୍ରସବା ପତ୍ନୀଙ୍କଠାରୁ ବିଦାୟ ନେଇ ୧୨ଶହ କାରିଗରଙ୍କ ନେତୃତ୍ୱର ଦାୟୀତ୍ୱ ନେଇ ସୁଦୂର ଚନ୍ଦ୍ରଭାଗା ତୀରରେ ୧୨ ବର୍ଷ କାଳ ବସତି କରୁଥିଲେ | ତାଙ୍କର ଅନୁପସ୍ଥିତିରେ ପୁତ୍ର ଧର୍ମପଦ ଜନ୍ମଗ୍ରହଣ କରିଥିଲେ, ପିତା-ରହିତ ଶୈଶବ ତଥା ବାଲ୍ୟାବସ୍ଥା ଅତିବାହିତ କରିଥିଲେ | ପୁତ୍ର ଅଳିକୁ ପ୍ରତ୍ୟାଖାନ କରିବାର ନିର୍ଦ୍ଦୟତାର ଅଯୋଗ୍ୟା ମାତା, ୧୨ ବର୍ଷ ଉତ୍ତୀର୍ଣ୍ଣ ହେବା ପରେ ପିତା-ପୁତ୍ର-ମିଳନ ନିମନ୍ତେ ଧର୍ମପଦକୁ ଚନ୍ଦ୍ରଭାଗା ତୀରକୁ ଯିବାର ଆଜ୍ଞା ଦେଇଥିଲେ | କିମ୍ବଦନ୍ତୀ ଅନୁସାରେ, ସନ୍ତକ ସଦୃଶ ସ୍ୱହସ୍ତ-ପ୍ରସ୍ତୁତ ତାମ୍ବୁଳ ଦେଇ ଧର୍ମପଦକୁ ମାତା ନପୂର୍ବଦର୍ଶିତ ପିତାଙ୍କୁ ଚିହ୍ନିବାର ଉପାୟ କହିଥିଲେ | ମାତା କହିଥିଲେ, “ପୁତ୍ର, ତୁମ ପିତା ଏକ ଅତ୍ୟନ୍ତ ବିଚକ୍ଷଣ କାରିଗର ହେବା ସଙ୍ଗେସଙ୍ଗେ ଏକାଧାରରେ ସେ ଏକ ଅନନ୍ୟ ବ୍ୟକ୍ତିତ୍ୱର ଜୀବନ୍ତ ପ୍ରତୀକ | ପିତାଙ୍କୁ ଠାବ କରିବା ତୁମକୁ କୌଣସି ଆସୁବିଧା ହେବ ନାହିଁ | ୧୨ଶହ କାରିଗରଙ୍କ ନେତୃତ୍ୱ ନେବାର ଯୋଗ୍ୟତା ତାଙ୍କର ବ୍ୟକ୍ତିତ୍ୱର, ଆଚରଣର ତଥା ବାକ୍‌ଶୈଳୀର କୋଣେକୋଣେ ପରିଲକ୍ଷିତ | ମୋ ହାତ ଭଙ୍ଗା ପାନ ଖାଇ ସେ ତୋତେ ଚିହ୍ନିପାରିବେ |” କିମ୍ବଦନ୍ତୀ ଅନୁସାରେ, ପତ୍ନୀ-ପ୍ରସ୍ତୁତ-ତାମ୍ବୁଳ ଖାଇ ବିଶୁ ମହାରଣା ଧର୍ମପଦଙ୍କୁ ଚିହ୍ନିପାରିଥିଲେ | କିନ୍ତୁ ପୁତ୍ର ପାଇଁ ଏକମାତ୍ର ସଂକେତ ଥିଲା ପିତାଙ୍କର ନେତୃତ୍ୱ-ବିଶିଷ୍ଟ-ବ୍ୟକ୍ତିତ୍ୱ | ତାହେଲେ ପ୍ରଶ୍ନ ଉଠେ ଧର୍ମପଦ ପିତାଙ୍କୁ ଚିହ୍ନିଲେ କେମିତି | ଅନିଶ୍ଚିତ ଓ ଭୀତ ହେଲେବି ସ୍ପଷ୍ଟ ଓ ଦୃଢ ଲକ୍ଷ୍ୟ ସହ ଧର୍ମପଦ ଚନ୍ଦ୍ରଭାଗା କୂଳରେ ପହଞ୍ଚିଲେ | ପ୍ରଥମେ ଦେଖିଲେ କିଛି କାରିଗର ପଥରକୁ କାଟିକାଟି ଏକ ବୃହଦାକାର ଚକ୍ର (ପରବର୍ତ୍ତୀ କାଳରେ କୋଣାର୍କ ଚକ ଭାବରେ ପ୍ରସିଦ୍ଧ) ତିଆରି କରୁଛନ୍ତି | ପିତୃ-ସନ୍ଧାନରେ ବ୍ୟାକୁଳ ଧର୍ମପଦ ଏକ କାରିଗରକୁ ପଚାରିଲେ, “ମହାଶୟ, କହିପାରିବେ କି ଆପଣ କି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଏବଂ କି ଅଭିପ୍ରାୟରେ ଏଇ କାର୍ଯ୍ୟ କରୁଅଛନ୍ତି?” କାରିଗର କହିଲେ,” ହେ ପୁତ୍ର, ସୁଦୂର ଗ୍ରାମରେ ମୋର ପରିବାର ରହନ୍ତି | ସେମାନଙ୍କୁ ୧୨ବର୍ଷତଳେ ଛାଡି ଆସିଛି | ଆଶା ମୋ ପୁତ୍ର ବି ତୁମ ପରି ହେଇଯାଇଥିବ | ମୁଁ ଏଠି ପଥର କାଟି ଅର୍ଥ ଉପାର୍ଜନ କରୁଅଛି ଓ ଏଇ ଅର୍ଥରେ ମୋର ପରିବାର ଭରଣପୋଷଣ ହେବ“ | ଧର୍ମପଦ ବୁଝିପାରିଲେ ଯେ ଏଇ ବ୍ୟକ୍ତି କେବେବି ତାର ପିତା ନୁହନ୍ତି | ଚକର ବିଭିନ୍ନ ଅଂଶ ପ୍ରସ୍ତୁତ କରିବାରେ ମଗ୍ନଥିବା ସମସ୍ତ କାରିଗର ଧର୍ମପଦର ପ୍ରଶ୍ନର ପ୍ରାୟ ଏକ ପ୍ରକାର ଉତ୍ତର ଦେଇଥିଲେ | ନିରାଶ ହେଇ ଧିରେଧିରେ ବିସ୍ତୃତ ବେଳାଭୁମିରେ ଆଗେଇଲେ | କିଛି ଦୂର ଗଲାପରେ ଦେଖିଲେ କିଛି କାରିଗର ସୁନ୍ଦର ମୂର୍ତ୍ତି ଗଢିବାରେ ବ୍ୟସ୍ତ | ମୂର୍ତ୍ତିମାନଙ୍କର କାରୁକାର୍ଯ୍ୟ ଦେଖି ଧର୍ମପଦର ବିସ୍ମୟର ସୀମା ନଥିଲା | ପ୍ରତିଟି ମୂର୍ତ୍ତି ଥିଲା ସ୍ଥାପତ୍ୟ କଳାର ତଥା ପ୍ରବୀଣ ଓ ନିପୁଣ କାରିଗରୀର ଅମୂଲ୍ୟ ଦୃଷ୍ଟାନ୍ତ | ନାରୀ ଶରୀରର ଲାବଣ୍ୟତା, ଅବୟବମାନଙ୍କର ଭାରସାମ୍ୟ ଅନୁପାତ, ନୃତ୍ୟଭଙ୍ଗୀ, ବିସ୍ମିତ ଚାହାଣୀର ସମନ୍ୱୟ ଥିଲା ପ୍ରବୀଣ କାରିଗରୀର ନୀରବ ସାକ୍ଷ୍ୟ | ସେ ବିନମ୍ରତା ସହ ପ୍ରଶ୍ନ କଲେ , “ମହାଶୟ, କହିପାରିବେ କି ଆପଣ କି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଏବଂ କି ଅଭିପ୍ରାୟରେ ଏଇ କାର୍ଯ୍ୟ କରୁଅଛନ୍ତି?” କାରିଗରଟିଏ କହିଲା, “ସବୁ କାରିଗର ମାନଙ୍କକୁ ଏଠି କାମକରିବାପାଇଁ ମହାରାଜା ପାରିଶ୍ରମିକ ତ ଦିଅନ୍ତି, କିନ୍ତୁ ମୁଁ ଏକ ଏମିତି ମୂର୍ତ୍ତି ଗଢିବାକୁ ଚାହେଁ ଯାହା ସ୍ଥାପତ୍ୟ କଳା, ସୃଜନଶୀଳତା ଓ କାରୁକାର୍ଯ୍ୟର ସପୁର୍ଣ୍ଣତାର ଏକ ଚିରନ୍ତନ ଦୃଷ୍ଟାନ୍ତ ହେଇ ଚିରକାଳ ପାଇଁ ରହିବ“ | ପରବର୍ତ୍ତୀ କାଳରେ ଏହାର ସତ୍ୟତା ପ୍ରତିପାଦିତ ହେଇଥିଲା | ଧର୍ମପଦ କିନ୍ତୁ ବୁଝିପାରିଲେ ଯେ ଏଇ ବ୍ୟକ୍ତି କେବେବି ତାର ପିତା ନୁହନ୍ତି | ପୁଣି ଆଗେଇଲେ | ଦେଖିଲେ ଜଣେ କାରିଗର ଏକାଗ୍ରଚିତ୍ତରେ ଏକ ପଥରକୁ କିଛି ଆକାର ଦେବାରେ ମଗ୍ନ | ତାଙ୍କ ଦୃଷ୍ଟି ସତେ ଯେମିତି ଶକ୍ତ ପ୍ରସ୍ତରକୁ ଭେଦି ଅପରପାର୍ଶ୍ୱରେ ଥିବା ବିସ୍ତୃତ ଜଳରାଶି ଉପର ଦେଇ ଦୂର ଦିଗ୍‌ବଳୟକୁ ବୀଦିର୍ଣ୍ଣ କରି ଶୂନ୍ୟରେ କିଛିଟା ସଂଧାନ କରିବାରେ ଲାଗିଛି | “ମହାଶୟ, କହିପାରିବେ କି ଆପଣ କି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଏବଂ କି ଅଭିପ୍ରାୟରେ ଏଇ କାର୍ଯ୍ୟ କରୁଅଛନ୍ତି?” ବିସ୍ମିତ ଓ ଉତ୍କର୍ଣ୍ଣ ଧର୍ମପଦ ପ୍ରଶ୍ନ କଲେ | କାରିଗର ଜଣକ ଚିନ୍ତାରେ ମଗ୍ନ ରହି, ପ୍ରଶ୍ନକର୍ତ୍ତା ଆଡକୁ ଦୃଷ୍ଟି ନଦେଇ କହିଲେ, “ମୁଁ ପଥର କାଟୁଛି ଏକ ମନ୍ଦିର ତିଆରି କରିବା ପାଇଁ | ଏବେ ଏଇ ପ୍ରସ୍ତରକୁ ବ୍ୟବହାର କରି ମନ୍ଦିରର ଚୂଳ ତିଆରି କରିବା ଯୋଜନା କରୁଅଛି |” ଧର୍ମପଦ ନିଶ୍ଚିତ ହେବା ନିମନ୍ତେ ଏକ ତାମ୍ବୁଳ ବଢାଇଦେଲେ ଓ କାରିଗର ଜଣକ ଦୃଷ୍ଟି ଅବିଚଳ ରଖି ସ୍ୱତପ୍ରବୃତ୍ତ ପାନଟାକୁ ପାଟିରେ ପକାଇବା ମାତ୍ରକେ ତାଙ୍କର ମୁଖର ଭାବ ପରିବର୍ତ୍ତନ ହେଲା | ଏ ଚିହ୍ନିପାରିଥିଲେ ପତ୍ନୀଙ୍କର ସ୍ନେହପୂର୍ଣ୍ଣ ଉପହାରଟିକୁ |
ଚାଲନ୍ତୁ ଆମେ ଧର୍ମପଦଙ୍କ ପ୍ରଶ୍ନର ତିନିପ୍ରକାର ଉତ୍ତରର ବିଶ୍ଳେଷଣ କରିବା | ଅସଲରେ କିମ୍ବଦନ୍ତୀରୁ ବ୍ୟତିକ୍ରମ ଏଇ ଧର୍ମପଦ-ଉପାଖ୍ୟାନଟି ବିଖ୍ୟାତ ମ୍ୟାନେଜ୍‌ମେଣ୍ଟ ଗୁରୁ ଡ୍ରକର୍‌ଙ୍କ ପ୍ରଣୀତ ବ୍ୟକ୍ତିବିଶେଷର ନେତୃତ୍ୱ-ବିଶିଷ୍ଟ-ବ୍ୟକ୍ତିତ୍ୱର ପରିଚୟ ପ୍ରଣାଳୀରୁ ଉଦ୍ଧୃତ | ବ୍ୟକ୍ତିବିଶେଷର ବ୍ୟକ୍ତିତ୍ୱରେ ନେତ୍ରୁତ୍ୱ-ଗୁଣର ଉପସ୍ଥିତି ବ୍ୟକ୍ତିର ଦୃଷ୍ଟିକୋଣ, ସମସାମୟିକ ସମସ୍ୟାର ପୂର୍ଣ୍ଣ-ଦୃଷ୍ଟିର କ୍ଷମତା ଉପରେ ନିର୍ଭର କରେ | ପ୍ରଥମ କାରିଗରର ଦୃଷ୍ଟିକୋଣ ଅତି ସକୀର୍ଣ୍ଣ | ଉପସ୍ଥିତ ସମାସ୍ୟାର ଲକ୍ଷ୍ୟ ସେ ହରାଇଥିଲେ, ନିଜ ସ୍ୱାର୍ଥ ହିଁ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | ଯେନତେନପ୍ରକାରେଣ କାମତୁଲାଇ ପାରିଶ୍ରାମିକ ପାଇବା ତାଙ୍କର ଇଚ୍ଛା | ଅପରପକ୍ଷରେ ଦ୍ୱିତୀୟ କାରିଗର ଜଣକ ନିଜ କାର୍ଯ୍ୟରେ ଗୁଣାତ୍ମକ ମାନ ବୃଦ୍ଧି କରିବାରେ ଇଚ୍ଛୁକ କିନ୍ତୁ ପୂର୍ଣ୍ଣଦୃଷ୍ଟିର ଅଭାବ ଥିଲା | ଏଇ କାରିଗର ଗଣଙ୍କ ଦୃଷ୍ଟିରେ କୋଣାର୍କ ମନ୍ଦିର ତୋଳିବା ପରି ମହାନ ବା ବୃହତ୍‌ ଲକ୍ଷ୍ୟର ଗୁରୁତ୍ୱ ନ ଥିଲା | ସେମାନେ ସମସ୍ତେ ମିଳିମିଶି କୋଣାର୍କ ମନ୍ଦିର ନିର୍ମାଣରେ ବ୍ୟସ୍ତ ଥିଲେ ଏଇକଥା ତାଙ୍କ ମନରେ ନ ଥିଲା | ଏଇମାନଙ୍କ ତୁଳନାରେ ଶେଷ କାରିଗର ଜଣକଙ୍କ ବ୍ୟକ୍ତିତ୍ୱରେ ଅତି ଉଚ୍ଚତମ ଗୁଣ ପରିଲକ୍ଷିତ ହୁଏ | ତାଙ୍କ ପାଖରେ ଥିଲା global vision | ଆଧୁନିକ ଛାତ୍ରଛାତ୍ରୀମାନେ ବି ଏଇ ତିନି ଶ୍ରେଣୀରେ ବିଭାଜିତ | କିଛି ବିଦ୍ୟାର୍ଥୀ କେବଳ ଡିଗ୍ରୀ ପାଇବା ପାଇଁ ପଢନ୍ତି ଓ ଫଳସ୍ୱରୂପ ଅଧ୍ୟୟନ କରିବା ଜୀବିକା ଉପାର୍ଜନର ମାଧ୍ୟମ ବୋଲି ଭାବନ୍ତି | ଆଉ କିଛି ବିଦ୍ୟାର୍ଥୀ ଜୀବିକା ଉପାର୍ଜନର ମାଧ୍ୟମ ଭାବିଲେବି ଉତ୍ତମ ଶିକ୍ଷା ଆହରଣ କରିବାକୁ ବି ଆକାଂକ୍ଷା ରଖନ୍ତି | ସେମାନେ ପ୍ରଥମ ଶ୍ରେଣୀରେ (ଏପରିକି ପ୍ରଥମ ସ୍ଥାନରେ) ଉତ୍ତୀର୍ଣ୍ଣ ହେବାର ଲକ୍ଷ୍ୟ ରଖିଥାଆନ୍ତି କିନ୍ତୁ global vision ର ଅଭାବ ଥାଏ | ଶିକ୍ଷା ଆହରଣ କରି ଶିକ୍ଷିତ ହେଲେ ନିଜର ବ୍ୟକ୍ତିତ୍ୱ ପ୍ରସ୍ପୁଟିତ ହେବ, ଦେଶ ଉନ୍ନତ ହେବ, ପରିବାର ଗର୍ବିତ ହେବ ଏଇ କଥା ଅତି କମ ବିଦ୍ୟାର୍ଥୀ ଭାବିଥାଆନ୍ତି |

ଅରୁନ୍‌ ପୂଜାରୀ