Wednesday, November 16, 2011

Participation in Development

ଆଜି ଖବରକାଗଜରେ କିଛିଟା ଅତି ଗୁରୁତ୍ୱପୂର୍ଣ୍ଣ ଖବର ପଢି କିଛି କହିବାକୁ ଅଦମ୍ୟ ଇଚ୍ଛା ହେଲା ପ୍ରଧାନ ମନ୍ତ୍ରୀ ଓ ଶାମ ପିଟ୍ରୋଦାଙ୍କ ପ୍ରଚେଷ୍ଟାରେ ଭାରତରେ ମେଟା-ୟୁନିଭର୍ସିଟି ପ୍ରତିଷ୍ଠା କରିବା ପ୍ରସ୍ତାବ ଅଛି ଏତଦ୍ୱାରା କାନପୁରରେ ପଢୁଥିବା ବିଦ୍ୟାର୍ଥୀ ଦିଲ୍ଲୀର କୌଣସି ବିଶ୍ୱବିଦ୍ୟାଳୟରେ ଦିଆଯାଉଥିବା କିଛି ବିଷୟ ପଢିପାରିବ ଏହା ଫଳରେ ବିଦ୍ୟର୍ଥୀମାନଙ୍କୁ କେବଳ ଏକ ନିର୍ଦ୍ଦିଷ୍ଟ ବିଶ୍ୱବିଦ୍ୟାଳୟରୁ ବିଦ୍ୟାଗ୍ରହଣ ନ କରି ଦେଶର ଯେକୌଣସି ବିଦ୍ୟାଳୟରୁ ନିଜ ମନମୁତାବକ ବିଷୟରେ ଜ୍ଞାନ ଆହରଣ କରିପାରିବ ଦ୍ୱିତୀୟ ଖବରଟି ହେଲା ଅଗ୍ନି-୪ର ସଫଳତା ଡ଼ା ସାରସ୍ୱତ, ମୂଖ୍ୟ ବୈଜ୍ଞାନିକ ପରାମର୍ଶଦାତା, ଙ୍କ କହିବା ଅନୁସାରେ ଏହି କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ଭାବରେ ଆମ ଦେଶର ବୈଜ୍ଞାନିକମାନଙ୍କର ପ୍ରଚେଷ୍ଟା ଏହି ଦୁଇଟି ଖବର ପଢି ଯେ କୌଣସି ଭାରତୀୟ ନିଜକୁ ଭାରତୀୟ ହେବାରେ ଗର୍ବିତ ବୋଧ କରିବ ଓ ଭାରତୀୟ ହେବାର ସୁଯୋଗ ପାଇଥିବାରୁ ଭଗବାନ ପାଖରେ କୃତଜ୍ଞ ହେବ ଏହା ଯେ ଆମ ଦେଶର ପ୍ରଗତି ପଥରେ ଏକ ମସ୍ତବଡ ପାହୁଣ୍ଡ ସେଥିରେ କିଛି ସନ୍ଦେହ ନାହିଁ କିନ୍ତୁ ଆମେ ଯଦି ବୈଣ୍ଡା ମହାବିଦ୍ୟାଳୟ, ବା’ କୁମାରବନ୍ଧ ମହାବିଦ୍ୟାଳୟ ବା’ ଏଇମିତି ଏକ ତଥାକଥିତ ଅନୁନ୍ନତ ଅଞ୍ଚଳର ଏକ ମହାବିଦ୍ୟାଳୟର ସର୍ବୋତ୍ତମ ଛାତ୍ର ବା’ ଛାତ୍ରୀକୁ ଏହି ବିଷୟରେ କିଛି ପ୍ରଶ୍ନ କରିବା, ଆମେ ଜାଣି ପାରିବା ଯେ ସେମାନେ ଏହି ଖବରକୁ ’ସାଧାରଣ ଜ୍ଞାନ’ ର ଏକ ବିଷୟ ଭାବରେ ପଢିବା ବ୍ୟତୀତ ଅନ୍ୟ କିଛି ଅନୁଭବ କରିପାରୁନାହାନ୍ତି ଏହି ଘଟଣାଟି ଭାରତରେ ହେଇଥାଉ ବା’ ଅନ୍ୟ ଦେଶରେ ହେଉ ତାଙ୍କ ପାଇଁ କିଛି ଯାଏ ଆସେ ନାହିଁ, ଅତିଶୟ ନିର୍ବିକାର ଭାବନା ମୁଁ ଏତେ ଜୋର ଦେଇ କହିବା ପଛରେ ଅଛି ମୋର ନିଜ ଅଭିଜ୍ଞତା ବିଗତ ତିନି ବର୍ଷରେ ମୁଁ ଯେତେ ମହାବିଦ୍ୟାଳୟ-ଗସ୍ତରେ ଯାଇଥିଲି ସବୁବେଳେ ବିଦ୍ୟାର୍ଥୀମାନଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିଲିଥିଲି, “ ଡା ଅମର୍ତ୍ତ୍ୟ ସେନ୍‌ କିଏ?” ଓ ମୁଁ କେବେ ବି ତାର ସଠିକ ଉତ୍ତର ପାଇନଥିଲି ଯଦିଓ ଆମ ଦେଶ ପ୍ରଗତି ପଥରେ ଏକ ମସ୍ତବଡ ପାହୁଣ୍ଡ ନେଇ ଅଗ୍ରସର ହେଲା, ପ୍ରଶ୍ନ ଉଠେ ସତରେ କ’ଣ ଦେଶର ପ୍ରତି ନାଗରିକ ଅଗ୍ରସର ହେଲେ ଆମେ ଆମର ଅନିଚ୍ଛାସତ୍ତ୍ୱେ ଗ୍ରହଣ କରିବାକୁ ପଡିବ ଯେ ଏହି ପ୍ରକାର କିଛି ଆଶା କରିବ ବୃଥା ତା ମାନେ ଦେଶ ଅଗ୍ରସର ହେଲେ ବି ଦେଶର ଅନେକ ଅଞ୍ଚଳ ପଛୁଆ ହେଇ ରହିଯାଉଛି ଖାଲି ପଛୁଆ ହେଇ ରହୁନାହିଁ, ଏହି ମସ୍ତବଡ ପାହୁଣ୍ଡଟି ସାଧାରଣତଃ ୨ ବା’ ୩ ଟି ପାହୁଣ୍ଡ ସଦୃଷ ଓ ଯେ ପଛୁଆ ହେଲା ତାର ବ୍ୟବଧାନ ଏକାଧିକ ପାହୁଣ୍ଡ ଦାୟୀ କିଏ, ଏହା ସମ୍ଭବ କି ଦେଶ ସର୍ବଦା ଅଗ୍ରସର ହେବା ଆଗରୁ ତାର ପ୍ରତିଟି ନାଗରିକକୁ ସାଉଁଟି ଧରି ଅଗ୍ରସର ହେବ ସ୍ୱୟଂ ନାଗରିକ ନିଜ ପ୍ରଚେଷ୍ଟାରେ ଏହି ଅଗ୍ରସର ହେବା ପ୍ରଣାଳୀରେ ସାମିଲ ହେବା ଉଚିତ ଏହା ସତ୍ୟ ଯେ ପ୍ରତିଟି ନାଗରିକ ପ୍ରତିଟି ବିକାଶ ପଥରେ ସାମିଲ ହେଇ ପାରିବେ ନାହିଁ କିନ୍ତୁ ଅନ୍ତତଃ କୌଣସି ଏକ ବିକାଶ ପ୍ରଥାରେ ସାମିଲ ହେଲେ ଦେଶର ଆଉ କେବେ ଅନୁନ୍ନତ ଅଞ୍ଚଳ ରହିବ ନାହଁ ଆପଣ ମାନେ ବୁଝି ପାରୁଥିବେ ଯେ ଶିକ୍ଷକମାନଙ୍କ ଦାୟୀତ୍ୱ କେତେ ଅଧିକ

Tuesday, August 30, 2011

Windsor Guildhall and current issues



ଫର୍ବ୍‌ସ୍‍ ମେଗାଜିନ୍‌ର ବର୍ତ୍ତମାନ-ସଂଖ୍ୟାରେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ଆଲୋଚନା-ପ୍ରବନ୍ଧ ପ୍ରକାଶିତ ହେଇଛି | ସେଥିରେ ଅନ୍ନା ହଜାରେ ପ୍ରସଙ୍ଗରେ ସାର୍‌ କ୍ରିଷ୍ଟୋଫର ରେନ୍‌ଙ୍କ ଏକ ବୃତ୍ତାନ୍ତ ଦିଆ ଯାଇଛି, ଏହା ଖ୍ରୀ:୧୬୬୮ର ଘଟଣାଟିଏ | ସପ୍ତଦଶ ଶତାବ୍ଦୀର ସାର୍‌ କ୍ରିଷ୍ଟୋଫର ରେନ୍‌ ଏକ ବିଶ୍ୱପ୍ରସିଦ୍ଧ ସ୍ଥପତି ବା’ ଆର୍କିଟେକ୍ଟ | ୱିଣ୍ଡସର ସହରର ଟାଉନହଲ (ୱିଣ୍ଡସର-ଗିଲ୍‍ଡ୍‌-ହଲ) ତିଆରି ତାଙ୍କ ଦାୟିତ୍ୱରେ ଥିଲା | ଅଷ୍ଟାଦଶ ସ୍ତମ୍ଭ ବିଶିଷ୍ଟ ଏକ ସୁନ୍ଦର, ଅତି ମନୋହାରୀ ଅଟ୍ଟାଳିକା ସେ ସୃଜନା କରିଥିଲେ (ଫଟୋ) | ଏହାର ତଳ ମହଲା ସାଧାରଣ ବଜାର ଭାବରେ ବ୍ୟବହାର ହେବାର ଯୋଜନା ଥିଲା ଓ ଉପର ମହଲାଟି ସଭା ସମିତି ନିମନ୍ତେ ଉଦ୍ଦିଷ୍ଟ ଥିଲା | ସହରର କାଉନସିଲରମାନଙ୍କ ମତ ହେଲା ୟେ ହଲ’ଟିର ଭାରସାମ୍ୟ ରକ୍ଷା କରିବା ନିମନ୍ତେ ଚାରିକଡରେ ହେଇଥିବା ଅଠରଟି ସ୍ତମ୍ଭ ଯଥେଷ୍ଟ ନୁହେଁ ଓ ତାର ମଧ୍ୟଭାଗରେ ଅତିରିକ୍ତ ଚାରୋଟି ସ୍ତମ୍ଭ ଦିଆଯିବା ଉଚିତ | ସାର୍‌ କ୍ରିଷ୍ଟୋଫର ରେନ୍ ଏଥିରେ ରାଜି ନଥିଲେ | କିନ୍ତୁ କାଉନସିଲରମାନଙ୍କ ସମ୍ମୁଖରେ ସେ ଅସହାୟ ମନେ କଲେ | ଶେଷକୁ ସେ ହଲର ଆଭ୍ୟନ୍ତରୀଣ ଭାଗରେ ଆଉ ଚାରୋଟି ସ୍ତମ୍ଭ ତିଆରିକଲେ | ବହୁ ବର୍ଷ ପରେ କିଛି କର୍ମୀ କିଛି କାର୍ଯ୍ୟବଶତ ସିଡ଼ିରେ ଚଢିବାରୁ ଦେଖିଲେ ଯେ ସେଇ ଅତିରିକ୍ତ ଚାରୋଟି ସ୍ତମ୍ଭ ଛାତ-ତଳକୁ କିଛି ବ୍ୟବଧାନରେ ଥିଲା ଓ ତାହା କୌଣସି ଭାର ସମ୍ଭାଳୁନଥିଲା | ଅର୍ଥ ହେଲା, କାଉନସିଲରମାନଙ୍କ ମତ ରଖିବା ନିମନ୍ତେ ସାର୍‌ କ୍ରିଷ୍ଟୋଫର ରେନ୍‌ ଚାରୋଟି ସ୍ତମ୍ଭ ତ’ ତିଆରି କରିଦେଲେ (ଫଟୋ) କିନ୍ତୁ ତାଙ୍କ ନିଜ ମତ ଅନୁଯାୟୀ ତାକୁ ଅଟ୍ଟାଳିକାର ଭାରସାମ୍ୟ ରଖିବା ନିମନ୍ତେ ବ୍ୟବହାର କଲେ ନାହିଁ | ଚାରୋଟି ଯାକ ସ୍ତମ୍ଭ ଯେ ଅଦରକାରି ତାହା ସେ ପ୍ରତିପାଦନ କଲେ | ଆଜି ପର୍ଯ୍ୟନ୍ତ ତାହା ସେମିତି ଶକ୍ତ ସବଳ ଦଣ୍ଡାୟମାନ, ଶୁଣାଯାଏ ଆଜିକାଲି କିଛି କାଷ୍ଠ-ଖଣ୍ଡ ଦେଇ ସେହି ସ୍ତମ୍ଭ ଓ ଛତ ମଝିରେ ରଖା ହେଇଛି |

ଫର୍ବ୍‌ସ୍‍ ମେଗାଜିନ୍‌ର ପ୍ରକାଶିତ ପ୍ରବନ୍ଧରେ ଲେଖକ କହିବାକୁ ଚାହୁଁଥିଲେ ଯେ ରାହୁଲ ଗାନ୍ଧୀ ମଧ୍ୟ ଆନ୍ନା ହଜାରେ ପ୍ରସଙ୍ଗରେ ଏମିତି ଏକ ବିକଳ୍ପ ପ୍ରସ୍ତୁତ କଲେ ଯାହା ସାର ରେନ୍‍ଙ୍କ ଚତୁର୍ସ୍ତମ୍ଭ ସଦୃଶ | ଲେଖକ ଠିକ୍‍ କି ଭୁଲ୍‌ ସେହି ପ୍ରଶ୍ନତ ସମସ୍ତଙ୍କ ମନରେ ଆସିବ, କିନ୍ତୁ ଆହୁରି ବୃହତ ପ୍ରଶ୍ନ ହେଲା କ’ଣ ସାର ରେନ୍‌ କିଛି ଅନୈତିକ କାର୍ଯ୍ୟ କରି ନ ଥିଲେ ତ ?


Sunday, August 28, 2011

A Wild Flower





ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦ୍ୱିଶତାଧିକ ଅନୁବନ୍ଧିତ ମହାବିଦ୍ୟାଳୟମାନଙ୍କରୁ ଅଧିକାଂଶ ଗ୍ରାମୀଣ, ପର୍ବତୀୟ ଏବଂ/ଅବା ଆଦିବାସୀ ଅଞ୍ଚଳରେ ଅବସ୍ଥିତ | କୁଳପତି ଭାବରେ ଏହି କଲେଜଗୁଡ଼ାକୁ ନିରୀକ୍ଷଣ-ଗସ୍ତ କରିବା ପ୍ରକୃତ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାର ସୌଭାଗ୍ୟ ମିଳିଥାଏ | ଏଇମିତି ଦିନେ କୁମାରବନ୍ଧରେ ଥିବା କଲେଜ-ଗସ୍ତ ସମୟରେ କଲେଜ ହତା ଭିତରେ ଏକ ବଣୁଆ ଫୁଲ ଦେଖିବାକୁ ପାଇଲି | କଲେଜର ସମସ୍ତ ଷ୍ଟାଫ ତାକୁ ବଣୁଆ ଫୁଲ ଆଖ୍ୟା ଦେଲେ ବି ମୋତେ ମାତ୍ରାଧିକ ଆକର୍ଷିତ କରିଥିଲା | ଫୁଲର ବା ଗଛର ନାମ କେହି କହିପାରିଲେ ନାହିଁ, ଆମ ଘରେ ଥିବା ମାଳି ବି ଜାଣି ନଥିଲା | କିନ୍ତୁ ମୋତେ କାହିଁକି ଫୁଲଟି ଦେଖି ଆଜିକାଲି ବିଦେଶରେ ବ୍ୟବହାର ହେଉଥିବା ଫ୍ଲାୱାର-ବୁକେ’ ବା ଅନ୍ୟ ସାଜସଜ୍ଜାରେ ବ୍ୟବହାର କରାହେଉଥିବା ଫୁଲ ପରି ମନେହେଲା | ଫୁଲଟିର ଆକାର, ଗଛର ପତ୍ର ବିନ୍ୟାସ, ଡ଼ାଳ ଇତ୍ୟାଦି କୌଣସି ବିଦେଶୀ ଫୁଲ ତୂଳନାରେ କମ ଆଭିଜାତ୍ୟପୂର୍ଣ୍ଣ ନୁହେଁ | କେବଳ ଏତିକି ଯେ ଏହା ସଭ୍ୟସମାଜର ଲୋକଲୋଚନକୁ ଆସିନାହିଁ | ତାର ପରିଚୟ ଗ୍ରାମୀଣ ଇଲାକାରେ ସୀମିତ, ଗ୍ରାମୀଣ ମୁଲକରେ ତ ଫୁଲର ବ୍ୟବହାର କେବଳ ପୂଜା ବା ପ୍ରସାଧନ ନିମନ୍ତେ ଏବଂ ଅର୍କିଡ଼ ପରି ଫୁଲର ମୂଲ୍ୟ କିଛି ନାହିଁ | ବଲ୍‌ବ୍‌ଟିଏ ଆଣି ମୋ ନିଜ କ୍ୱାର୍ଟରରେ ଲଗାଇଲି, ବର୍ଷା ହେବା ପରେ ପରେ ପାଞ୍ଚ-ଛ’ ଟା ଗଛ ବାହାରି ଫୁଲ ହେଲା | ଗଛଟିର ଜାତି ଲିଲି ଓ ଅର୍କିଡ଼ ମିଶାମିଶି | ଫୁଲଟି ଧଳାରଙ୍ଗର (ଜଙ୍ଗଲରେ ଆହୁରି ଅନ୍ୟ ରଙ୍ଗର ଫୁଲ ଥାଇପାରେ) କିନ୍ତୁ ତାର କଢର ରଙ୍ଗ ନାଲି | ଫୁଲର ଜୀବନ-ସମୟ ତିନି ଚାରି ଦିନରୁ ବେଶି ନୁହେଁ, ମାତ୍ର ଫୁଲ ସବୁ ଝଡ଼ିଗଲା ପରେ ତାର ଲାଲ ରଙ୍ଗର ଡେମ୍ଫଟି ଆଜିକାଲିର ବୁକେ’ମାନଙ୍କରେ ବ୍ୟବହାର ହେଉଥିବା ବିଦେଶି ଫୁଲ ପରି ଲାଗେ | ଥରକରେ ଦଶାଧିକ ଫୁଲ ଫୁଟେ ତେଣୁ ଫ୍ଲାୱାର-ଭାସ‌ ନିମନ୍ତେ ଅତି ଉତ୍ତମ | ଫୁଟିବା ଆରମ୍ଭ ହେଲା ପରେ ଡ଼ାଳକୁ କାଟି ଆଣି ଘରେ ରଖିଲେ ବହୁତ ଦିନ ବୈଠକଖାନାରେ ଶୋଭା ଦେବ | କେହି ଯଦି ଏହି ଫୁଲର ନାମ ଜାଣିଛନ୍ତି, ଦୟାକରି କହିବେ | ମୋତେ ଲାଗେ ଯଦି ସଙ୍ଗଠିତ-ଚାଷ କରାଯାଏ ଏହା ଆମ ଗ୍ରାମୀଣ ବନ୍ଧୁମାନଙ୍କ କିଛି ସାହାଯ୍ୟ ହେଇପାରିବ |

-ଅରୁନ୍‍ ପୂଜାରୀ