Tuesday, August 30, 2011

Windsor Guildhall and current issues



ଫର୍ବ୍‌ସ୍‍ ମେଗାଜିନ୍‌ର ବର୍ତ୍ତମାନ-ସଂଖ୍ୟାରେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ଆଲୋଚନା-ପ୍ରବନ୍ଧ ପ୍ରକାଶିତ ହେଇଛି | ସେଥିରେ ଅନ୍ନା ହଜାରେ ପ୍ରସଙ୍ଗରେ ସାର୍‌ କ୍ରିଷ୍ଟୋଫର ରେନ୍‌ଙ୍କ ଏକ ବୃତ୍ତାନ୍ତ ଦିଆ ଯାଇଛି, ଏହା ଖ୍ରୀ:୧୬୬୮ର ଘଟଣାଟିଏ | ସପ୍ତଦଶ ଶତାବ୍ଦୀର ସାର୍‌ କ୍ରିଷ୍ଟୋଫର ରେନ୍‌ ଏକ ବିଶ୍ୱପ୍ରସିଦ୍ଧ ସ୍ଥପତି ବା’ ଆର୍କିଟେକ୍ଟ | ୱିଣ୍ଡସର ସହରର ଟାଉନହଲ (ୱିଣ୍ଡସର-ଗିଲ୍‍ଡ୍‌-ହଲ) ତିଆରି ତାଙ୍କ ଦାୟିତ୍ୱରେ ଥିଲା | ଅଷ୍ଟାଦଶ ସ୍ତମ୍ଭ ବିଶିଷ୍ଟ ଏକ ସୁନ୍ଦର, ଅତି ମନୋହାରୀ ଅଟ୍ଟାଳିକା ସେ ସୃଜନା କରିଥିଲେ (ଫଟୋ) | ଏହାର ତଳ ମହଲା ସାଧାରଣ ବଜାର ଭାବରେ ବ୍ୟବହାର ହେବାର ଯୋଜନା ଥିଲା ଓ ଉପର ମହଲାଟି ସଭା ସମିତି ନିମନ୍ତେ ଉଦ୍ଦିଷ୍ଟ ଥିଲା | ସହରର କାଉନସିଲରମାନଙ୍କ ମତ ହେଲା ୟେ ହଲ’ଟିର ଭାରସାମ୍ୟ ରକ୍ଷା କରିବା ନିମନ୍ତେ ଚାରିକଡରେ ହେଇଥିବା ଅଠରଟି ସ୍ତମ୍ଭ ଯଥେଷ୍ଟ ନୁହେଁ ଓ ତାର ମଧ୍ୟଭାଗରେ ଅତିରିକ୍ତ ଚାରୋଟି ସ୍ତମ୍ଭ ଦିଆଯିବା ଉଚିତ | ସାର୍‌ କ୍ରିଷ୍ଟୋଫର ରେନ୍ ଏଥିରେ ରାଜି ନଥିଲେ | କିନ୍ତୁ କାଉନସିଲରମାନଙ୍କ ସମ୍ମୁଖରେ ସେ ଅସହାୟ ମନେ କଲେ | ଶେଷକୁ ସେ ହଲର ଆଭ୍ୟନ୍ତରୀଣ ଭାଗରେ ଆଉ ଚାରୋଟି ସ୍ତମ୍ଭ ତିଆରିକଲେ | ବହୁ ବର୍ଷ ପରେ କିଛି କର୍ମୀ କିଛି କାର୍ଯ୍ୟବଶତ ସିଡ଼ିରେ ଚଢିବାରୁ ଦେଖିଲେ ଯେ ସେଇ ଅତିରିକ୍ତ ଚାରୋଟି ସ୍ତମ୍ଭ ଛାତ-ତଳକୁ କିଛି ବ୍ୟବଧାନରେ ଥିଲା ଓ ତାହା କୌଣସି ଭାର ସମ୍ଭାଳୁନଥିଲା | ଅର୍ଥ ହେଲା, କାଉନସିଲରମାନଙ୍କ ମତ ରଖିବା ନିମନ୍ତେ ସାର୍‌ କ୍ରିଷ୍ଟୋଫର ରେନ୍‌ ଚାରୋଟି ସ୍ତମ୍ଭ ତ’ ତିଆରି କରିଦେଲେ (ଫଟୋ) କିନ୍ତୁ ତାଙ୍କ ନିଜ ମତ ଅନୁଯାୟୀ ତାକୁ ଅଟ୍ଟାଳିକାର ଭାରସାମ୍ୟ ରଖିବା ନିମନ୍ତେ ବ୍ୟବହାର କଲେ ନାହିଁ | ଚାରୋଟି ଯାକ ସ୍ତମ୍ଭ ଯେ ଅଦରକାରି ତାହା ସେ ପ୍ରତିପାଦନ କଲେ | ଆଜି ପର୍ଯ୍ୟନ୍ତ ତାହା ସେମିତି ଶକ୍ତ ସବଳ ଦଣ୍ଡାୟମାନ, ଶୁଣାଯାଏ ଆଜିକାଲି କିଛି କାଷ୍ଠ-ଖଣ୍ଡ ଦେଇ ସେହି ସ୍ତମ୍ଭ ଓ ଛତ ମଝିରେ ରଖା ହେଇଛି |

ଫର୍ବ୍‌ସ୍‍ ମେଗାଜିନ୍‌ର ପ୍ରକାଶିତ ପ୍ରବନ୍ଧରେ ଲେଖକ କହିବାକୁ ଚାହୁଁଥିଲେ ଯେ ରାହୁଲ ଗାନ୍ଧୀ ମଧ୍ୟ ଆନ୍ନା ହଜାରେ ପ୍ରସଙ୍ଗରେ ଏମିତି ଏକ ବିକଳ୍ପ ପ୍ରସ୍ତୁତ କଲେ ଯାହା ସାର ରେନ୍‍ଙ୍କ ଚତୁର୍ସ୍ତମ୍ଭ ସଦୃଶ | ଲେଖକ ଠିକ୍‍ କି ଭୁଲ୍‌ ସେହି ପ୍ରଶ୍ନତ ସମସ୍ତଙ୍କ ମନରେ ଆସିବ, କିନ୍ତୁ ଆହୁରି ବୃହତ ପ୍ରଶ୍ନ ହେଲା କ’ଣ ସାର ରେନ୍‌ କିଛି ଅନୈତିକ କାର୍ଯ୍ୟ କରି ନ ଥିଲେ ତ ?


Sunday, August 28, 2011

A Wild Flower





ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦ୍ୱିଶତାଧିକ ଅନୁବନ୍ଧିତ ମହାବିଦ୍ୟାଳୟମାନଙ୍କରୁ ଅଧିକାଂଶ ଗ୍ରାମୀଣ, ପର୍ବତୀୟ ଏବଂ/ଅବା ଆଦିବାସୀ ଅଞ୍ଚଳରେ ଅବସ୍ଥିତ | କୁଳପତି ଭାବରେ ଏହି କଲେଜଗୁଡ଼ାକୁ ନିରୀକ୍ଷଣ-ଗସ୍ତ କରିବା ପ୍ରକୃତ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାର ସୌଭାଗ୍ୟ ମିଳିଥାଏ | ଏଇମିତି ଦିନେ କୁମାରବନ୍ଧରେ ଥିବା କଲେଜ-ଗସ୍ତ ସମୟରେ କଲେଜ ହତା ଭିତରେ ଏକ ବଣୁଆ ଫୁଲ ଦେଖିବାକୁ ପାଇଲି | କଲେଜର ସମସ୍ତ ଷ୍ଟାଫ ତାକୁ ବଣୁଆ ଫୁଲ ଆଖ୍ୟା ଦେଲେ ବି ମୋତେ ମାତ୍ରାଧିକ ଆକର୍ଷିତ କରିଥିଲା | ଫୁଲର ବା ଗଛର ନାମ କେହି କହିପାରିଲେ ନାହିଁ, ଆମ ଘରେ ଥିବା ମାଳି ବି ଜାଣି ନଥିଲା | କିନ୍ତୁ ମୋତେ କାହିଁକି ଫୁଲଟି ଦେଖି ଆଜିକାଲି ବିଦେଶରେ ବ୍ୟବହାର ହେଉଥିବା ଫ୍ଲାୱାର-ବୁକେ’ ବା ଅନ୍ୟ ସାଜସଜ୍ଜାରେ ବ୍ୟବହାର କରାହେଉଥିବା ଫୁଲ ପରି ମନେହେଲା | ଫୁଲଟିର ଆକାର, ଗଛର ପତ୍ର ବିନ୍ୟାସ, ଡ଼ାଳ ଇତ୍ୟାଦି କୌଣସି ବିଦେଶୀ ଫୁଲ ତୂଳନାରେ କମ ଆଭିଜାତ୍ୟପୂର୍ଣ୍ଣ ନୁହେଁ | କେବଳ ଏତିକି ଯେ ଏହା ସଭ୍ୟସମାଜର ଲୋକଲୋଚନକୁ ଆସିନାହିଁ | ତାର ପରିଚୟ ଗ୍ରାମୀଣ ଇଲାକାରେ ସୀମିତ, ଗ୍ରାମୀଣ ମୁଲକରେ ତ ଫୁଲର ବ୍ୟବହାର କେବଳ ପୂଜା ବା ପ୍ରସାଧନ ନିମନ୍ତେ ଏବଂ ଅର୍କିଡ଼ ପରି ଫୁଲର ମୂଲ୍ୟ କିଛି ନାହିଁ | ବଲ୍‌ବ୍‌ଟିଏ ଆଣି ମୋ ନିଜ କ୍ୱାର୍ଟରରେ ଲଗାଇଲି, ବର୍ଷା ହେବା ପରେ ପରେ ପାଞ୍ଚ-ଛ’ ଟା ଗଛ ବାହାରି ଫୁଲ ହେଲା | ଗଛଟିର ଜାତି ଲିଲି ଓ ଅର୍କିଡ଼ ମିଶାମିଶି | ଫୁଲଟି ଧଳାରଙ୍ଗର (ଜଙ୍ଗଲରେ ଆହୁରି ଅନ୍ୟ ରଙ୍ଗର ଫୁଲ ଥାଇପାରେ) କିନ୍ତୁ ତାର କଢର ରଙ୍ଗ ନାଲି | ଫୁଲର ଜୀବନ-ସମୟ ତିନି ଚାରି ଦିନରୁ ବେଶି ନୁହେଁ, ମାତ୍ର ଫୁଲ ସବୁ ଝଡ଼ିଗଲା ପରେ ତାର ଲାଲ ରଙ୍ଗର ଡେମ୍ଫଟି ଆଜିକାଲିର ବୁକେ’ମାନଙ୍କରେ ବ୍ୟବହାର ହେଉଥିବା ବିଦେଶି ଫୁଲ ପରି ଲାଗେ | ଥରକରେ ଦଶାଧିକ ଫୁଲ ଫୁଟେ ତେଣୁ ଫ୍ଲାୱାର-ଭାସ‌ ନିମନ୍ତେ ଅତି ଉତ୍ତମ | ଫୁଟିବା ଆରମ୍ଭ ହେଲା ପରେ ଡ଼ାଳକୁ କାଟି ଆଣି ଘରେ ରଖିଲେ ବହୁତ ଦିନ ବୈଠକଖାନାରେ ଶୋଭା ଦେବ | କେହି ଯଦି ଏହି ଫୁଲର ନାମ ଜାଣିଛନ୍ତି, ଦୟାକରି କହିବେ | ମୋତେ ଲାଗେ ଯଦି ସଙ୍ଗଠିତ-ଚାଷ କରାଯାଏ ଏହା ଆମ ଗ୍ରାମୀଣ ବନ୍ଧୁମାନଙ୍କ କିଛି ସାହାଯ୍ୟ ହେଇପାରିବ |

-ଅରୁନ୍‍ ପୂଜାରୀ