Monday, March 19, 2012

SATYASAI BABA

କିଛିଦିନ ତଳେ ନିମ୍ନ ଲେଖାଟି ଲେଖିଥିଲି ଆଜିର ପ୍ରସଙ୍ଗ ସହ ଜଡ଼ିତ ପାଠକ ମାନଙ୍କୁ ଅନୁରୋଧ ତାଙ୍କ ମତ ପ୍ରକାଶ କରନ୍ତୁ

ବାବା


ଏଇମିତି ଦିନେ ପୁଟ୍ଟପର୍ତ୍ତି ଯିବାକୁ ସୁଯୋଗ ମିଳିଥିଲା, ଭକ୍ତ ଭାବରେ ବା କୌଣସି ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ ନୁହେଁ, ବରଂ ସେଠି ଥିବା ବିଶ୍ୱବିଦ୍ୟାଳୟରେ କୌଣସି ଏକ ଗବେଷଣା ସନ୍ଦର୍ଭଟିର ଏକ ପରୀକ୍ଷକ ଭାବରେ ଥିଲା ଆମନ୍ତ୍ରଣ . ବାବାଙ୍କ ଭକ୍ତ ହେବା କିମ୍ବା ବିରୋଧି ବା ସମାଲୋଚକ ହେବା ଭାବନା ମନରେ କେବେ ଆସିନଥିଲା . କିନ୍ତୁ ତା’ମାନେ ନୁହେଁ ଯେ ମୁଁ ବାବାଙ୍କ ପ୍ରସିଦ୍ଧି, ଜନପ୍ରିୟତା, ଚମତ୍କାରିତା, ଆଧ୍ୟାତ୍ମିକ ଓ ନୈସର୍ଗିକ ବ୍ୟକ୍ତିତ୍ୱ ବିଷୟରେ ଅଜ୍ଞ ଥିଲି . ମନେପଡେ, ୧୯୬୮ ସାଲରେ ସଂସ୍କୃତ ଟୁଇଶନ ସାରଙ୍କ ଘର ସମ୍ମୁଖ ଘରୁ ବାବାଙ୍କ ଫଟୋରୁ ବିଭୁତି ଝରିବା ଶୁଣି ମହିଳାମାନଙ୍କ ଗହଳି . ଏବେବି ମନେ ଅଛି ଆଇ.ଆଇ.ଟି ହଷ୍ଟେଲରେ ଉଦୀୟମାନ ବୈଜ୍ଞାନିକ ମାନଙ୍କର ତର୍କବିତର୍କ- ଶୂନ୍ୟରୁ ପାର୍ଥିବ-ବସ୍ତୁ ସୃଜନ କରିବାର ବାବାଙ୍କ ଚମତ୍କାରିତାର ସତ୍ୟତା ଉପରେ . ପରବର୍ତ୍ତୀ କାଳରେ କିଛି ସମ୍ପର୍କୀୟଙ୍କ ନିୟମିତ ପୁଟ୍ଟପର୍ତ୍ତି ଯାତ୍ରା ସମୟରେ ହାଇଦ୍ରାବାଦରେ ସେମାନଙ୍କ ଆତିଥ୍ୟର ସୁଯୋଗ ଓ କେବେ କେମିତି ରେଳଯାତ୍ରା ସମୟରେ ଶିଶୁ ସନ୍ତାନକୁ ବାବାଙ୍କ ଆଶ୍ରମରେ ଛାଡି ଫେରିଆସୁଥିବା ପିତାମାତାଙ୍କ ସହ ଯାତ୍ରା କରିବା ସୁଯୋଗ ବ୍ୟତୀତ ମୋର ବାବାଙ୍କ ବିଷୟରେ ବିଶେଷ କିଛି ଜାଣିବାକୁ ସୁଯୋଗ ମିଳିନଥିଲା . ଭକ୍ତର ଭଗବାନ ପ୍ରତି ଆସ୍ଥା ଯେ ବାତ୍ସଲ୍ୟ-ବିରହ-ବେଦନା ଅପେକ୍ଷା ଅଧିକ ଶକ୍ତିଶାଳୀ ତାହା ସହଯାତ୍ରୀ ମାତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ଥିଲା . ଆମନ୍ତ୍ରଣ ପାଇବାପରେ ମନରେ ଅସୀମ କୌତୁହଳ .
ହାଇଦ୍ରାବାଦରୁ ଟ୍ରେନରେ ନିକଟବର୍ତ୍ତୀ ଷ୍ଟେସନରେ ଓହ୍ଲାଇ କାରରେ ପ୍ରଶାନ୍ତି ନିଲୟମ ପହଞ୍ଚିଲା ବେଳକୁ ସକାଳ ଛ’ଟା . ଆଶ୍ରମ ଭିତରେ ଏକ ଗେଷ୍ଟହାଉସରେ ରହିବା ବ୍ୟବସ୍ଥା ହେଇଥିଲା . ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଆସି ଠିକ ୭ଟାରେ ମୋତେ ତାଙ୍କ ଅନୁଷ୍ଠାନକୁ ନେଇ ଗଲେ . ସେଦିନ ବାବା ଆସି ବିଦ୍ୟାର୍ଥୀମାନଙ୍କୁ ଉଦ୍‌ବୋଧନ ଦେବାର ଥିଲା . ଆମେ ସିଧା ଅଡିଟୋରିୟମକୁ ଗଲୁ . ସଭାଗୃହଟି ଅତି ପ୍ରଶସ୍ତ . ମୋତେ ଆଗଧାଡିକୁ ନେଇଗଲେ, ସେଠି ସଂସ୍ଥାର ବିଭିନ୍ନ ପ୍ରଫେସର, ଡିନ୍‌ ଆଦିଙ୍କ ସହ ପରିଚୟ ହେଲା . ଠିକ ସମୟରେ ସଭାକାର୍ଯ୍ୟାରମ୍ଭ ହେଲା, ବାବା ଆସି ସଭାମଞ୍ଚରେ ସିଂହାସନରେ ଉପବିଷ୍ଟ . ଭଜନ, ପ୍ରାର୍ଥନା ତଥା ସ୍ୱାଗତ ସମ୍ବର୍ଦ୍ଧନା ଆଦି ଔପଚାରିକତା ଉପରାନ୍ତ ବାବା ଅଭିଭାଷଣ ଦେବା ଆରମ୍ଭ କଲେ . ସେ ତେଲୁଗୁରେ କହୁଥିଲେ ଓ ଜଣେ ଭକ୍ତ ତାକୁ ଇଂରାଜୀରେ ଅନୁବାଦ କରୁଥିଲେ . ଆଗଧାଡିରେ ବସିଥିବାରୁ ଅତି ନିକଟରୁ ବାବାଙ୍କୁ ମୁଁ ଦେଖି ପାରୁଥିଲି . ସଭାରେ ଉପସ୍ଥିତ ପ୍ରାୟ ସମସ୍ତେ ଯୋଡହସ୍ତରେ ତଳକୁ ମୁଁହ କରି ଧର୍ମୋପଦେଶ ପିଇଯାଉଥିଲେ . ମୁଁ କେବଳ ବକ୍ତୃତା ଶୁଣୁନଥିଲି, ବକ୍ତାଙ୍କ ବ୍ୟକ୍ତିତ୍ୱର ଗଭୀରତାକୁ କଳନା କରିବାକୁ ଚେଷ୍ଟା କରୁଥିଲି . ବକ୍ତବ୍ୟର ବିଷୟବସ୍ତୁ ଥିଲା ମାନବୀୟ ଧର୍ମ ଓ ଚରିତ୍ର ଗଠନ . ଅତି ସରଳ ଭାଷାରେ, ଆବଶ୍ୟକ ଅନୁଯାୟୀ କିଛିଟା ସଂସ୍କୃତ ଶ୍ଳୋକ, କିଛିଟା ଦୈନନ୍ଦିନ ବ୍ୟବହାରିକ ଉଦାହରଣ ଦେଇ ମାନବୀୟ ମୂଲ୍ୟବୋଧର ଗୁରୁତ୍ୱ ଓ ତାହାଯେ ଶିକ୍ଷାର ଏକ ଅଭିନ୍ନାଙ୍ଗ; ତାର ଯଥାର୍ଥତା ପ୍ରାଞ୍ଜଳଭାବରେ ବ୍ୟାଖ୍ୟା କରୁଥିଲେ . ବକ୍ତବ୍ୟ ଶିକ୍ଷକୀୟ-ଶୈଳୀରେ ଥିଲା; ଥିଲା ଏକ ଅଭିଜ୍ଞ, ଜ୍ଞାନାଗ୍ନୀରେ ପକ୍ୱ ଓ ଏକାଧିକ ଜ୍ଞାନସ୍ରୋତର ତ୍ରିବେଣୀ-ସ୍ନାତ ଶିକ୍ଷକର ନିଜ ସନ୍ତାନ-ପ୍ରାୟ ଆବାଳବୃଦ୍ଧବନିତାଙ୍କ ପ୍ରତି ସ୍ୱାନୁଭୂତିୟ ବିଦ୍ୟା ଦ୍ୱାରା ଦିଗଦର୍ଶନ . ମୋର ଯାହା କିଛି ଶିକ୍ଷକତାର ଅଭିଜ୍ଞତା, ସେଥିରୁ ମୁଁ ଜାଣୁଥିଲି ସମ୍ମୁଖରେ ଥିବା ବକ୍ତା ସାଧାରଣ ଶିକ୍ଷକଙ୍କ ପରି ପୂର୍ବ ରାତ୍ରୀରୁ ଶ୍ରେଣୀ-ପ୍ରସ୍ତୁତି କରି ବିଦ୍ୟାର୍ଥୀମାନଙ୍କୁ ଅନର୍ଗଳ ଭାଷଣ ଦେଉନାହାନ୍ତି, ଶିକ୍ଷକ ଜଣକ ନିଶ୍ଚୟ ଅସୀମ ଜ୍ଞାନ-ଆହରଣ ପଶ୍ଚାତ୍‌ ସ୍ୱୟଂ ସେଇ ଜ୍ଞାନକୁ ଅନ୍ତରରେ ଅନୁଭବ କରିଛନ୍ତି, ସେଇ ଜ୍ଞାନ-ସାଗରରେ ବାରମ୍ବାର ସନ୍ତରଣ କରି; ଚେତନା, ବିବେକ, ଜ୍ଞାନ ତଥା ବୈଦିକ ରୀତିର ଏକ ଅମୃତ ମିଶ୍ରଣ ଆଜି ସମଗ୍ର ଜଗତକୁ ବିତରଣ କରିବାରେ ଲାଗିଛନ୍ତି . କୌଣସି ଦେବଦତ୍ତ ସିଦ୍ଧପୁରୁଷ ଦ୍ୱାରାହିଁ କେବଳ ଏ କାର୍ଯ୍ୟସିଦ୍ଧି ସମ୍ଭବ . ବକ୍ତବ୍ୟର ବିଷୟବସ୍ତୁ ଥିଲା ଅତି ଭାରି କିନ୍ତୁ ବକ୍ତବ୍ୟ-ଶୈଳୀ ଥିଲା ଅତି ଆନନ୍ଦଦାୟୀ, ଉପଭୋଗ୍ୟ; ବକ୍ତା ଥିଲେ ଅତି ଶାନ୍ତ, ତାଙ୍କ ମୂଖ-ନିସୃତ ବାଣୀ ଥିଲା ଜ୍ୟୋତ୍ସ୍ନା-ପ୍ରାୟ ଶୀତଳ କିନ୍ତୁ ଶକ୍ତ ଓ ତୀକ୍ଷ୍ଣ-- ଶ୍ରୋତାର ଚରିତ୍ରକୁ ଘଷି, ମାଜି କାଞ୍ଚନ-ସଦୃଶ କରିବା ନିମନ୍ତେ .
ସରୁ ସରୁ ୯ଟା ବାଜିଗଲା, ଏତେସମୟ କେମିତି ଅତିବାହିତ ହେଲା ଜଣାପଡିଲା ନାହିଁ . ସଭା ସମାପ୍ତି ପରେ ସଂସ୍ଥାର ଡିନ୍‌ ଆସି ମୋତେ ଡାକି ନେଲେ ପ୍ରାତଃଭୋଜନ ପାଇଁ . ସେମାନଙ୍କ ଅତିଥିସତ୍କାର ମୋତେ ଅପ୍ରତିଭ ଲାଗୁଥାଏ . ଏକ ସାଧାରଣ ପରୀକ୍ଷକକୁ ଏତେ ଗୁରୁତ୍ୱ ପ୍ରଦାନକରୁଥିବା ମୋତେ ବିସ୍ମିତ କରୁଥିଲା . ଅନୁଷ୍ଠାନର କୁଳପତି, ଡିନ ଆଦି ସମସ୍ତେ ମୋର ରହିବା, ଖାଇବା, ଆସିବା ଓ ଯିବାରେ ଆଶାତୀତ ଆଗ୍ରହ ପ୍ରଦର୍ଶନ କରୁଥାଆନ୍ତି . ପରୀକ୍ଷା ଆରମ୍ଭ କରିବା ଶୁଭମୁହୂର୍ତ୍ତ ଗଣନା ହେଇଥାଏ ୯.୪୭ . ତେଣୁ ଲଗ୍ନସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା .
ପି.ଏଚ.ଡି ଭାଇଭା ଆରମ୍ଭ ହେବାମାତ୍ରକେ ସନ୍ଦର୍ଭଟା ଅତି ପରିଚିତ ମନେ ହେଲା . କିଛି ବର୍ଷ ତଳେ ଏଇ ସନ୍ଦର୍ଭଟା ମୋ ପାଖକୁ ସମୀକ୍ଷାର୍ଥେ ଆସିଥିଲା . ମୁଁ ତାକୁ ପୁରାପୁରି ନାକଚ ନକରିଥିଲେ ବି ନିଜର ଅସନ୍ତୋଷ ପ୍ରକାଶ କରିଥିଲି ଓ ସନ୍ଦର୍ଭଟା ପି.ଏଚ୍‌.ଡି ଡିଗ୍ରି-ଯୋଗ୍ୟ ବିବେଚିତ ହେବାକୁ ହେଲେ ଆଉ କିଛି ଅଧିକ ଓ ଉନ୍ନତ କାମ କରି ପୁନଃ ଜମା କରିବା ପ୍ରସ୍ତାବ ଦେଇଥିଲି . ଘଟଣାଟି ମୁଁ ଭୁଲି ଯାଇଥିଲି . ଭାଇଭା ଆରମ୍ଭ ହେଲା, ମୋର ସହ-ପରୀକ୍ଷକ ଥିଲେ ଆଇ.ଆଇ.ଟି ମାଡ୍ରାସର ପ୍ରଫେସର ରାଘବନ, ଦେଶ ବିଦେଶରେ ତାଙ୍କର ବେଶ ଖ୍ୟାତି . ତାଙ୍କ ସମ୍ମୁଖରେ ମୋର ଉପସ୍ଥିତି ଏକ ପର୍ବତ ପାଦଦେଶର ଥିବା ଏକ ଉଇହୁଙ୍କା ସଦୃଶ . ତଥାପି କୌଣସି ଅଜ୍ଞାତ କାରଣରୁ ଅନୁଷ୍ଠାନର ସମସ୍ତ ଅଧିକାରୀ ମୋର ମତକୁ ବିଶେଷ ଗୁରୁତ୍ୱ ଦେଉଥିଲେ ଓ ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୋର ସନ୍ତୁଷ୍ଟି . ଭାଇଭା ସରିଲା ବେଳକୁ କାରଣଟି ଜଣା ପଡିଲା . ପ୍ରଫେସର ରାଘବନ ବାବାଙ୍କ ଭକ୍ତ ଓ ପ୍ରଶାନ୍ତି-ନିଲୟମକୁ ନିୟମିତ ଭାବରେ ଆସନ୍ତି . ପରୀକ୍ଷାର୍ଥୀଙ୍କ ସହ ତାଙ୍କର ପୂର୍ବ ପରିଚୟ ଥିଲା ଓ ତାଙ୍କର ରିପୋର୍ଟ ସହାନୁଭୁତିଶୀଳ ଥିଲା . ତୃତୀୟ ବିଦେଶୀ-ପରୀକ୍ଷକ ଜଣଙ୍କ ରିପୋର୍ଟବି ଏକପ୍ରକାର ସନ୍ତୋଷଜନକ ଥିଲା, କହିଥିଲେ “ଆମ ଦେଶରେ ନହେଲେ ବି ଭାରତରେ ଉପଲବ୍ଧ ସୁବିଧା, ସୁଯୋଗକୁ ଦେଖିଲେ ସନ୍ଦର୍ଭଟି ପି.ଏଚ.ଡି-ଯୋଗ୍ୟ କୁହାଯାଇପାରିବ” . କେବଳ ମୋର ରିପୋର୍ଟଟିରେ କିଛି ଅଭିଯୋଗ ଥିଲା . ପରୀକ୍ଷାର୍ଥୀଜଣକ ଅନୁଷ୍ଠାନର କର୍ତ୍ତୁପକ୍ଷଙ୍କୁ ମୋ ରିପୋର୍ଟକୁ ଉପେକ୍ଷାକରି ଡିଗ୍ରିପ୍ରଦାନର ସମ୍ମତି ଭିକ୍ଷାକରିଥିଲେ . କର୍ତ୍ତୁପକ୍ଷ ବିଭିନ୍ନ ପରାମର୍ଶ, ବିଚାର ବିମର୍ଶ ପରେ ବୋଧହୁଏ ପରୀକ୍ଷାର୍ଥୀଙ୍କ ଅନୁରୋଧକୁ ସ୍ୱୀକାର କରିବା ପ୍ରସ୍ତୁତ ହେଉଥିଲେ . ମନେହୁଏ, ବାବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଦ୍ଦେଶଦେଇଥିଲେ ଯେ ମୋର ଦେଇଥିବା ରିପୋର୍ଟ ଅନୁଯାୟୀ ସନ୍ଦର୍ଭର ପୁନଃ-ପ୍ରସ୍ତୁତି ଆବଶ୍ୟକ ଓ ମୋର ସକରାତ୍ମକ ରିପୋର୍ଟ ଅନିର୍ବାର୍ଯ୍ୟ . ମୁଁ ଏବେ ବୁଝିପାରିଲି ମୋର ଭି.ଆଇ.ପି.ତୂଲ୍ୟ ଅତିଥିସତ୍କାର ପାଇବାର ପଛରେ ଥିବା ଗୂଢ ରହସ୍ୟ . ପରୀକ୍ଷାର୍ଥୀ ବାଧ୍ୟ ହେଇ ସନ୍ଦର୍ଭ ଯଥାସମ୍ଭବ ସଂଶୋଧନ କରିଥିଲେ ଓ ତାଙ୍କର ଏଇ ପ୍ରଚେଷ୍ଟା ପରେ ମୋର ସକରାତ୍ମକ ରିପୋର୍ଟ ଦେବାରେ କିଛି ଆପତ୍ତି ନ ଥିଲା .
ରାଘବନଙ୍କ ସହ ଗେଷ୍ଟହାଉସକୁ ଫେରିଆସିଲୁ ଓ ସେଠିହିଁ ଭୋଜନ ପରିବେଷଣ କରା ଗଲା . ଭୋଜନ ଉପରାନ୍ତ ଆଶ୍ରମର ଜଣେ ଭକ୍ତ କାରଟିଏ ଆଣି ମୋତେ ଆଶ୍ରମ ବୁଲି ଦେଖିବାକୁ ନେଇଗଲେ . ଆମେ ସେଠିକାର ଚିକିତ୍ସାଳୟକୁ ଗଲୁ . ମୋ ପାଇଁ ସ୍ୱତନ୍ତ୍ର ଅନୁମତି ଥାଏ ଓ ଫଳତଃ ଚିକିତ୍ସାଳୟର ବିଭିନ୍ନ ଅନ୍ତପୁରକୁ ଯାଇ ଦେଖିବାର ସୁଯୋଗ ମିଳିଥିଲା . ଚିକିତ୍ସାଳୟର ଭିତ୍ତିଭୁମୀୟସୁବିଧା ସୁଯୋଗ, ପରିଚାଳନା ପ୍ରଣାଳୀ, ପରିଷ୍କାର ପରିଚ୍ଛନ୍ନତା ବଡ ବେଭାରତୀୟ ଲାଗୁଥାଏ . ଭକ୍ତ ଜଣକ ଅତି ତରବରରେ ଥିବା ଜଣା ପଡୁଥିଲେ, ଅପରାହ୍ନର ଦର୍ଶନ ସମୟ ପାଖେଇଆସୁଥାଏ . ତେଣୁ ଶୀଘ୍ର ଆଶ୍ରମ ଅଭିମୁଖେ ପ୍ରସ୍ଥାନ କରିବା ପାଇଁ ପ୍ରସ୍ତୁତ ହେଲା ବେଳକୁ ଜଣେ ଭଦ୍ରବ୍ୟକ୍ତି ଯୋଗ ଦେଲେ . ଭକ୍ତ ହେଇଥିବେ ବୋଧହୁଏ, ଶ୍ୱେତବସ୍ତ୍ର ପରିଧାନ କରିଥିଲେ . କାରରେ ବସିଲାପରେ ପରିଚୟ ଆଦାନପ୍ରଦାନରୁ ଜଣା ପଡିଲା, ସେ ଆମେରିକାର ଜଣେ ଡକ୍ଟର ଓ ଆସିଛନ୍ତି ଏକ ଆଧୁନିକ, ଜଟିଳ ଚିକିତ୍ସା ଉପକରଣ ଆମେରିକାରୁ ଆଣି ପୁଟ୍ଟପର୍ତ୍ତିରେ ସ୍ଥାପନ କରିବା ଉଦ୍ଦେଶ୍ୟରେ . ମୋ ସାଙ୍ଗରେ ଆଶ୍ରମକୁ ଯାଉଛନ୍ତି ବାବାଙ୍କ ଦର୍ଶନାର୍ଥେ . ଦର୍ଶନ ସ୍ଥାନରେ ପହଞ୍ଚିଲାବେଳକୁ, ଅନୁଷ୍ଠାନର କୁଳପତି ତଥା ବିଶିଷ୍ଟ ପ୍ରଫେସରଗଣ ମୋତେ ପାଛୋଟି ନେଲେ ଏକ ହଲକୁ . ଅଗଣ୍ୟ ଆଶାୟୀ ଭକ୍ତ ସେଠି ଅପେକ୍ଷାରତ, ବାବାଙ୍କ ଦର୍ଶନ ଅଭିଳାଷରେ . ସମ୍ମୁଖର ମଧ୍ୟଭାଗରେଥିବା ସତରଞ୍ଜି ଉପରେ ମାନ୍ୟଗଣ୍ୟ ବ୍ୟକ୍ତି କିଛି ବସିଥାଆନ୍ତି . ମୋର ସେଠି ବସିବା ବନ୍ଦୋବସ୍ତ ହେଇ ଥାଏ . ମୁଁ ଓ ଡକ୍ଟରଜଣକ ଦ୍ୱିତୀୟ ଧାଡିରେ ବସିଲୁ . ସେ କଡରେ ବସିଲେ ଓ ତାପରକୁ ମୁଁ ସ୍ଥାନ ନେଲି . ଭଜନ ଅତି ଜୋରରେ ଚାଲିଥାଏ . ବାବା ହଲରେ ପ୍ରବେଶ କରିବାମାତ୍ରେ ଭଜନ ଆହୁରି ଜୋର ଧରିଥାଏ . ସମସ୍ତ ଭକ୍ତ ଜୋଡହସ୍ତରେ, ହାତରେ କିଛି କାଗଜ ଧରି ବସିଥାଆନ୍ତି . ଭଗବାନ ଶ୍ରୀ ସତ୍ୟସାଇବାବା ଅତି ଧୀର ଗତିରେ ଆମ ବସିବା ସତରଞ୍ଜି ଚାରି ପାଖରେ ପଡିଥିବା ଗାଲିଚାରେ ଚାଲିବା ଆରମ୍ଭ କଲେ . ଅତି ଶାନ୍ତ, ଧୀର, ଦୈବିକ ଥିଲା ତାଙ୍କ ମୂଦ୍ରା . ବାମ ହସ୍ତଟି ସିଧାଭାବରେ ଝୁଲୁଥିଲା ଓ ସେ ହାତରେ ସେ ଧରିଥିଲେ ଭକ୍ତମାନଙ୍କଠାରୁ ଗ୍ରହଣ କରିଥିବା କାଗଜଫର୍ଦ୍ଦ ସବୁ . ସେଇ କାଗଜମାନଙ୍କରେ କେତେଯେ ଭକ୍ତ ନିଜନିଜର ସମାସ୍ୟା ଓ ତାର ସମାଧାନ ନିମନ୍ତେ ଦିଗଦର୍ଶନର ଅନୁରୋଧ ଲେଖିଥିଲେ . ଦକ୍ଷିଣ ହସ୍ତଚାଳନ ମୂଦ୍ରା ଓ ମୁଖର ଭାବ ଦେଖିଲେ ମନେହେଉଥାଏ ସତରେ ଯେମିତି ଭକ୍ତଜଗତକୁ ଭଗବାନ କିଛି ପ୍ରଶ୍ନ କରୁଛନ୍ତି . ସାଧାରଣ ବ୍ୟକ୍ତି ବୁଝେ ସତେ ଯେମିତି ବାବା ପଚାରୁଛନ୍ତି, “ୟେ କଣ” . କିନ୍ତୁ ଭକ୍ତର ଭଗବାନ ସହ ଯେଉଁ ନୈସର୍ଗିକ ଯୋଗାଯୋଗ ରହିଛି ସେଥିରେ ସେଇ ଭାବକୁ ଅନେକ ରୁପ ଦିଆଯାଇପାରେ- ସତେ ଯେମିତି “ରେ ମୂଢ, ଏ ଆସକ୍ତି କି’ପାଇଁ”! ବା “ତୋତେ ସବୁ ମାୟା ତ୍ୟାଗର ପଥ ଦେଖାଇଛି, ପୁଣି ଏ ମାୟା କାହିଁକି . ” ଇତ୍ୟାଦି ଇତ୍ୟାଦି . ମୋ ପରି ଅଭକ୍ତକୁ କିଛି ବୁଝା ପଡୁନଥାଏ . ବାବା ଆସି ଆମ ବସିବା ଜାଗା ପାଖରେ ସ୍ଥିର ହେଇ ରହିଗଲେ, ଡକ୍ଟରଜଣଙ୍କ ଅତି ନିକଟରେ . ଡକ୍ଟର ଜଣକ ଭକ୍ତିରେ ଗଦଗଦ ହେଇ ସିଧା ସାଷ୍ଟାଙ୍ଗ ପ୍ରଣିପାତ କଲେ . ବାବା ନିଜେ ତାଙ୍କୁ ହାତରେ ଉଠାଇଆଣିଲେ . ଡକ୍ଟର ନିଜର ପରିଚୟ ଦେଲେ ଓ ବାବା ଆଶୀର୍ବାଦ ଦେବା ଉଦ୍ଦେଶ୍ୟରେ ଦକ୍ଷିଣ ହସ୍ତ ବୁଲାଇ ଆଣି ଡକ୍ଟରଙ୍କ ଶିରରେ ଦେଉଦେଉ ଏକ ରୁପାର ହାର ପ୍ରକଟ ହେଲା ଓ ଭକ୍ତ ଜଣକ ତାହା ପାଇ କୃତଜ୍ଞତାରେ ନିଜକୁ ଧନ୍ୟ ମନେ କଲେ . ପୂର୍ବଶ୍ରାବ୍ୟ ଚମକ୍ତାରଶକ୍ତିର ପ୍ରଦର୍ଶନ ମୋତେ ଅତି ସମୀପରୁ ଦୃଶ୍ୟ ହେଲା .
ସଂଧ୍ୟା ହେଉହେଉ ମୋର ପ୍ରତ୍ୟାବର୍ତ୍ତନର ସମୟ ହେଇଯାଇଥିଲା . ରେଳଷ୍ଟେସନରେ ଆସି ନିର୍ଜନ ପ୍ଲାଟଫର୍ମରେ ରେଳଗାଡିକୁ ଅପେକ୍ଷା କରିବା ସମୟରେ କିଛି ଘଣ୍ଟାଭିତରେ ଘଟିଯାଇଥିବା ଏତେଟା ଘଟଣାକୁ ଖେଳେଇଖେଳେଇ କଳ୍ପନାରେ ପୁନଃପୁନଃ ରିପ୍ଲେ କରୁଥାଏ . ମନରେ ଏକ ପ୍ରକାର ତୃପ୍ତାନୁଭୁତି ଥିଲା ଯେ ମୋ ପରି ଅଭକ୍ତକୁ ପ୍ରଥମ ଯାତ୍ରାରେ ବାବାଙ୍କ ଯେତେ ପରିମାଣରେ ସାନ୍ନିଧ୍ୟ ପ୍ରାପ୍ତ ହେଲା ତାହା ବୋଧହୁଏ ଅନେକ ପୋଖତ ଭକ୍ତଙ୍କୁ ଅପ୍ରାପ୍ୟ ହେଇଥିବ . ପ୍ରଭାତର ଉଦ୍‌ବୋଧନ, ଥେସିସ୍‌ ସମୀକ୍ଷାରେ ସ୍ୱଛଳତା, ମଲ୍ଟିସ୍ପେସିଆଲିଟି ଚିକିତ୍ସାଳୟର ସ୍ଥାପନା, ବିଦେଶର ସୁନାମଧନ୍ୟ ଚିକିତ୍ସକଙ୍କ ସହ ଯୋଗାଯୋଗ, ସେମାନଙ୍କ ସହଯୋଗର ଯଥୋଚିତ ସମ୍ମାନ, ଏ ସବୁ ଚମତ୍କାର ନୁହେଁ ତ ଆଉ କଣ . ତେବେ ବାବାଙ୍କ ସମାଲୋଚକ ମାନେ କଣ ଏଇ ଚମତ୍କାର ଶକ୍ତିକୁ ଦେଖି ପାରୁନାହନ୍ତି .
ଏଇ ଘଟଣାର ଅନେକ ବର୍ଷ ଅତିବାହିତ ହେଇଯାଇଛି . ବାବାଙ୍କ ମହାପ୍ରୟାଣ ଦିନ ଅକସ୍ମାତ ବିଗତ ଦିନର ସ୍ମୃତିର ଏଇ କିଛି ପୃଷ୍ଠା କେଉଁ ଅତାଳତାଳ ଗହୀରରୁ ଉଙ୍କି ମାରିଲା . ବୋଧହୁଏ ସେଦିନ ତାଙ୍କର ମହାପ୍ରୟାଣର କାମନା କରି ପ୍ରାର୍ଥନା ବା ଭଜନ କରିବା ଅପେକ୍ଷା ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେଇ ସମାଜ ପାଇଁ କିଛି ଚିନ୍ତା କରିବାଟା ଅଧିକ ପ୍ରଯୁଜ୍ୟ . ମୁଁ ସିନା ତାଙ୍କ କେବେ ଭକ୍ତ ନ ଥିଲି କିନ୍ତୁ ଆମ ସହରରେ, ଆମ ବିଶ୍ୱବିଦ୍ୟାଳୟରେ ତାଙ୍କ ଅଗଣିତ ଭକ୍ତ . ତେବେ ମନରେ ପ୍ରଶ୍ନ ଉଠେ ଏବେ ବି କାହିଁକି ସ୍ୱଜନଙ୍କ ଥେସିସ୍‌ରେ ପରୀକ୍ଷକଙ୍କ କିଛି ଆପତ୍ତି ହେଲେ, ଭକ୍ତ-ସହକର୍ମୀମାନେ ପରୀକ୍ଷକ ବଦଳେଇବା ଅନୁରୋଧ କରୁଥାଆନ୍ତି . କ’ଣ ଏବେବି ବାବାଙ୍କ ପ୍ରତ୍ୟକ୍ଷ ବା ପରୋକ୍ଷ ହସ୍ତକ୍ଷେପ ନିହାତି ଆବଶ୍ୟକ . ତାହେଲେ ଏଇ ଭକ୍ତଗଣ କଣ ସର୍ବଦା ଅବୋଧ ଶିଶୁ ହେଇ ରହିଥିବେ ଓ ବାବା ଅବା ତାଙ୍କ ଭାବି-ଅବତାର ସର୍ବଦା ସେଇ ସେଇ ଶିକ୍ଷା ଦେଇଚାଲିଥିବେ ?

1 comment:

Note: Only a member of this blog may post a comment.