Tuesday, August 30, 2011

Windsor Guildhall and current issues



ଫର୍ବ୍‌ସ୍‍ ମେଗାଜିନ୍‌ର ବର୍ତ୍ତମାନ-ସଂଖ୍ୟାରେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ଆଲୋଚନା-ପ୍ରବନ୍ଧ ପ୍ରକାଶିତ ହେଇଛି | ସେଥିରେ ଅନ୍ନା ହଜାରେ ପ୍ରସଙ୍ଗରେ ସାର୍‌ କ୍ରିଷ୍ଟୋଫର ରେନ୍‌ଙ୍କ ଏକ ବୃତ୍ତାନ୍ତ ଦିଆ ଯାଇଛି, ଏହା ଖ୍ରୀ:୧୬୬୮ର ଘଟଣାଟିଏ | ସପ୍ତଦଶ ଶତାବ୍ଦୀର ସାର୍‌ କ୍ରିଷ୍ଟୋଫର ରେନ୍‌ ଏକ ବିଶ୍ୱପ୍ରସିଦ୍ଧ ସ୍ଥପତି ବା’ ଆର୍କିଟେକ୍ଟ | ୱିଣ୍ଡସର ସହରର ଟାଉନହଲ (ୱିଣ୍ଡସର-ଗିଲ୍‍ଡ୍‌-ହଲ) ତିଆରି ତାଙ୍କ ଦାୟିତ୍ୱରେ ଥିଲା | ଅଷ୍ଟାଦଶ ସ୍ତମ୍ଭ ବିଶିଷ୍ଟ ଏକ ସୁନ୍ଦର, ଅତି ମନୋହାରୀ ଅଟ୍ଟାଳିକା ସେ ସୃଜନା କରିଥିଲେ (ଫଟୋ) | ଏହାର ତଳ ମହଲା ସାଧାରଣ ବଜାର ଭାବରେ ବ୍ୟବହାର ହେବାର ଯୋଜନା ଥିଲା ଓ ଉପର ମହଲାଟି ସଭା ସମିତି ନିମନ୍ତେ ଉଦ୍ଦିଷ୍ଟ ଥିଲା | ସହରର କାଉନସିଲରମାନଙ୍କ ମତ ହେଲା ୟେ ହଲ’ଟିର ଭାରସାମ୍ୟ ରକ୍ଷା କରିବା ନିମନ୍ତେ ଚାରିକଡରେ ହେଇଥିବା ଅଠରଟି ସ୍ତମ୍ଭ ଯଥେଷ୍ଟ ନୁହେଁ ଓ ତାର ମଧ୍ୟଭାଗରେ ଅତିରିକ୍ତ ଚାରୋଟି ସ୍ତମ୍ଭ ଦିଆଯିବା ଉଚିତ | ସାର୍‌ କ୍ରିଷ୍ଟୋଫର ରେନ୍ ଏଥିରେ ରାଜି ନଥିଲେ | କିନ୍ତୁ କାଉନସିଲରମାନଙ୍କ ସମ୍ମୁଖରେ ସେ ଅସହାୟ ମନେ କଲେ | ଶେଷକୁ ସେ ହଲର ଆଭ୍ୟନ୍ତରୀଣ ଭାଗରେ ଆଉ ଚାରୋଟି ସ୍ତମ୍ଭ ତିଆରିକଲେ | ବହୁ ବର୍ଷ ପରେ କିଛି କର୍ମୀ କିଛି କାର୍ଯ୍ୟବଶତ ସିଡ଼ିରେ ଚଢିବାରୁ ଦେଖିଲେ ଯେ ସେଇ ଅତିରିକ୍ତ ଚାରୋଟି ସ୍ତମ୍ଭ ଛାତ-ତଳକୁ କିଛି ବ୍ୟବଧାନରେ ଥିଲା ଓ ତାହା କୌଣସି ଭାର ସମ୍ଭାଳୁନଥିଲା | ଅର୍ଥ ହେଲା, କାଉନସିଲରମାନଙ୍କ ମତ ରଖିବା ନିମନ୍ତେ ସାର୍‌ କ୍ରିଷ୍ଟୋଫର ରେନ୍‌ ଚାରୋଟି ସ୍ତମ୍ଭ ତ’ ତିଆରି କରିଦେଲେ (ଫଟୋ) କିନ୍ତୁ ତାଙ୍କ ନିଜ ମତ ଅନୁଯାୟୀ ତାକୁ ଅଟ୍ଟାଳିକାର ଭାରସାମ୍ୟ ରଖିବା ନିମନ୍ତେ ବ୍ୟବହାର କଲେ ନାହିଁ | ଚାରୋଟି ଯାକ ସ୍ତମ୍ଭ ଯେ ଅଦରକାରି ତାହା ସେ ପ୍ରତିପାଦନ କଲେ | ଆଜି ପର୍ଯ୍ୟନ୍ତ ତାହା ସେମିତି ଶକ୍ତ ସବଳ ଦଣ୍ଡାୟମାନ, ଶୁଣାଯାଏ ଆଜିକାଲି କିଛି କାଷ୍ଠ-ଖଣ୍ଡ ଦେଇ ସେହି ସ୍ତମ୍ଭ ଓ ଛତ ମଝିରେ ରଖା ହେଇଛି |

ଫର୍ବ୍‌ସ୍‍ ମେଗାଜିନ୍‌ର ପ୍ରକାଶିତ ପ୍ରବନ୍ଧରେ ଲେଖକ କହିବାକୁ ଚାହୁଁଥିଲେ ଯେ ରାହୁଲ ଗାନ୍ଧୀ ମଧ୍ୟ ଆନ୍ନା ହଜାରେ ପ୍ରସଙ୍ଗରେ ଏମିତି ଏକ ବିକଳ୍ପ ପ୍ରସ୍ତୁତ କଲେ ଯାହା ସାର ରେନ୍‍ଙ୍କ ଚତୁର୍ସ୍ତମ୍ଭ ସଦୃଶ | ଲେଖକ ଠିକ୍‍ କି ଭୁଲ୍‌ ସେହି ପ୍ରଶ୍ନତ ସମସ୍ତଙ୍କ ମନରେ ଆସିବ, କିନ୍ତୁ ଆହୁରି ବୃହତ ପ୍ରଶ୍ନ ହେଲା କ’ଣ ସାର ରେନ୍‌ କିଛି ଅନୈତିକ କାର୍ଯ୍ୟ କରି ନ ଥିଲେ ତ ?


1 comment:

  1. Sir Christopher Wren rebuilt the famous St Paul's Cathedral after it was razed to the ground in the great fire of London in 1666. It is considered a miraculous feat on the part of this great architect. This additional information gives us the clue to look afresh at the analogies the author of the article in the Forbes magazine has offered and draw our conclusions.

    ReplyDelete

Note: Only a member of this blog may post a comment.