Sunday, September 26, 2010

ଦାମ୍ଭିକ ଅଜ୍ଞାନ ଏବଂ ଅନ୍ଧ ଉତ୍ତେଜନା
ପ୍ରସିଦ୍ଧ ଗାଳ୍ପିକ ଶ୍ରୀ ମନୋଜ ଦାସ ତାଙ୍କ ଏକ ଅଭୁଲା ଗଳ୍ପ ’ବାକ୍‌ପଟୁ ହଂସ’ ରେ କହିଛନ୍ତି “ ... ପ୍ରକୃତ ଐଶ୍ୱର୍ଯ୍ୟରୁ ମଣିଷ ଦ୍ୱିବିଧ କାରଣରୁ ବଞ୍ଚିତ ହୁଏ- ଦାମ୍ଭିକ ଅଜ୍ଞାନରୁ ଏବଂ ଅନ୍ଧ ଉତ୍ତେଜନାରୁ |” ଗଳ୍ପର ପ୍ରସଙ୍ଗ ଅତ୍ୟନ୍ତ ମନୋହାରୀ | ଜଣେ ସାଧୁ ଏକ ରାଜ୍ୟକୁ ଆସି କଥା-କୁହା ହଂସଟିଏ ଯାଚିଲେ | ମନ୍ତ୍ରୀ ଓ ଅମାତ୍ୟଗଣ ହଂସର ବାଟ୍ପଂଟୁତାର ଉପଯୋଗିତା ବା ଗୁରୁତ୍ୱ ବିଷୟରେ ଅଜ୍ଞାନ ଥିବାରୁ ସାଧୁଙ୍କର ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ | ଏହା ଜାଣି ରାଜା ଉତ୍ତେଜିତ ହେଇ ହାତ ପାଆନ୍ତାରେ ହଂସକୁ ଦେଖି ବି ଚିହ୍ନି ପାରିଲେନି ଓ ହଂସଟି ଉଡିଚାଲିଯାଇଥିଲା | ଏଇ ପ୍ରକାରରେ ମନ୍ତ୍ରୀଙ୍କ ଦାମ୍ଭିକ ଅଜ୍ଞାନ ଓ ରାଜାଙ୍କ ଅନ୍ଧ ଉତ୍ତେଜନା ଯୋଗୁ ବାକ୍‌ପଟୁ-ହଂସରୂପି ଐଶ୍ୱର୍ଯ୍ୟରୁ ସମଗ୍ର ରାଜ୍ୟ ବଞ୍ଚିତ ହେଇଥିଲା | ଚାଲନ୍ତୁ ଆମେ ଏଇ ଦୁଇଟି ମାନବ ପ୍ରକୃତି -ଦାମ୍ଭିକ ଅଜ୍ଞାନ ଓ ଅନ୍ଧ ଉତ୍ତେଜନା- କୁ ଆଜିର ପ୍ରସଙ୍ଗରେ ଆଲୋଚନା କରିବା | ତଥ୍ୟଟି ଚିରନ୍ତନ, ସର୍ବ-କାଳ ସର୍ବ ସମାଜ ପ୍ରଯୂଜ୍ୟ ଓ ଯଥାର୍ଥ |
ସରକାରଙ୍କ ଯୋଜନା-ପ୍ରଣେତାମାନଙ୍କ ଦ୍ୱାରା ଯଦି କିଛି ଅତି ନୂତନ, ଅଶ୍ରୁତପୂର୍ବ ଯୋଜନାର ପ୍ରସ୍ତାବ ରଖାଯାଏ ତେବେ ପ୍ରସ୍ତାବଟା ଯେତେ ଯୁଗାନ୍ତକାରୀଣି ହେଇଥିଲେ ମଧ୍ୟ ଅନେକ ବ୍ୟକ୍ତି ତତ୍‌କ୍ଷଣାତ୍‍ ନାକଚ କରିଦିଅନ୍ତି- “ ହେଃ, ମୁଁ ଜାଣେ ଏଇ ଯୋଜନା କାମ କରିବନାହିଁ “; “ଏ ପ୍ରସ୍ତାବଟି ଉପଯୋଗୀ ନୁହେଁ “ | ସତ୍ୟ ଏହି ଯେ ଏମନ୍ତ ମତ ପ୍ରକାଶ ତାଙ୍କର ଭ୍ରାମିକ ଆତ୍ମବିଶ୍ୱାସ, ଦର୍ପ ତଥା ମିଥ୍ୟା ଦମ୍ଭ ଦ୍ୱାରା ନିୟନ୍ତ୍ରିତ ହେଇଥାଏ ଓ ପ୍ରସ୍ତାବର ବିଷୟବସ୍ତୁ ଉପରେ ସମ୍ୟକ୍‍ ଜ୍ଞାନ ତଥା ଜିଜ୍ଞାସାର ଅଭାବ ଥାଏ | ସେମାନେ ମତ ଦେବା ପୁର୍ବରୁ ପ୍ରସ୍ତାବକୁ ପୁଂଖାନୁପୁଂଖ ଅନୁଧ୍ୟାନ ବି କରିନଥାଆନ୍ତି ଓ କରିବା ଦରକାର ବି ଭାବନ୍ତି ନାହିଁ | ଅନ୍ୟ ଅନେକ ବିଷୟରେ ସେମାନେ ବିଶେଷଜ୍ଞ ହେଇଥିବାରୁ, ସେମାନେ ନିଜକୁ ସର୍ବଜ୍ଞାନୀ ମଣନ୍ତି ତଥା ତାଙ୍କର ମତକୁ ସମାଜରେ ଗୁରୁତ୍ୱ ଦିଆଯାଏ | ଉପସ୍ଥିତ ବିଷୟବସ୍ତୁରେ ଅଜ୍ଞାନ ହେଲେ ସୁଦ୍ଧା ମିଥ୍ୟା, କାଳ୍ପନିକ ଦର୍ପରେ ସେମାନେ ଦାମ୍ଭିକ | ଗଳ୍ପର ପ୍ରସଙ୍ଗରେ ଯେମିତି ମନ୍ତ୍ରୀ ଓ ଅମ୍ୟାତ ବୃନ୍ଦ ସେମାନଙ୍କର ରାଜକୀୟ ଦାୟୀତ୍ୱ ଓ ପ୍ରତିଷ୍ଠା ହେତୁ ପ୍ରତିଟି ରାଜକୀୟ-ସମ୍ବନ୍ଧୀୟ ବିଷୟବସ୍ତୁରେ ବିଶେଷଜ୍ଞ ହେବାର ଦମ୍ଭ ପ୍ରଦର୍ଶନ କରିଥାଆନ୍ତି | ମନ୍ତ୍ରୀ ଜଣେ ସଧାରଣ ନାଗରିକ ତ ନୁହନ୍ତି | ତାଙ୍କର ମତ ସମାଜର ସମସ୍ତ ବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ | କିନ୍ତୁ କଥାକୁହା ହଂସର ଉପଯୋଗିତା ବିଷୟରେ ସେ ଅଜ୍ଞାନ | ଅମ୍ୟାତବୃନ୍ଦଙ୍କ ମତ ଯେ ବାକ୍‍-ପଟୁତା ହଂସର ମାଂସ ଅଧିକତର ସୁସ୍ୱାଦୁ କରିଥାଏ ଯେତେ ଅବାନ୍ତର ହେଲେ ବି ଗ୍ରହଣୀୟ ହେଇଥାଏ | ଆମ ସମାଜରେ ବି ବହୁ ପ୍ରତିଷ୍ଠିତ ବ୍ୟକ୍ତି ନିଜର ପ୍ରତିଷ୍ଠାର ଦମ୍ଭରେ ଦାମ୍ଭିକ ହେଇ ନିଜ ବିଶେଷଜ୍ଞତାର ପରିଧି ଅତିକ୍ରମ ବିଷୟରେ ମତ ପ୍ରକାଶ କରି ସମାଜର ଅପୂରଣୀୟ କ୍ଷତିର କାରଣ ହେଇଥାଆନ୍ତି |
ଅପର ପକ୍ଷରେ କିଛି ବ୍ୟକ୍ତି କିଛି ବୁଝିବା ଆଗରୁ ଉତ୍ତେଜିତ ହେଇ ତାଙ୍କର ଉତ୍ତେଜିତ ପ୍ରତିକ୍ରିୟା ଫଳତଃ ପ୍ରସ୍ତାବର ଉପକାରିତା ହୃଦୟଙ୍ଗମ କରିପାରିନଥାଆନ୍ତି ଓ ହଂସ ହାତପାଆନ୍ତାରେ ଆସି ଉଡିଯିବା ପରି ସମାଜକୁ ଐଶ୍ୱର୍ଯ୍ୟରୁ ବଞ୍ଚିତ କରାଇଥାଆନ୍ତି | ଏଇ ପରିପ୍ରେକ୍ଷୀରେ କୁହା ଯାଇପାରେ ଯେ ଦାମ୍ଭିକ ହେବା ବା ଉତ୍ତେଜିତ ହେବା ସବୁକ୍ଷେତ୍ରରେ ନିନ୍ଦନୀୟ ନୁହେଁ କିନ୍ତୁ ଅଜ୍ଞାନତା ସହ ଦାମ୍ଭିକତା ବା ନବୁଝି ଶୁଝି ଉତ୍ତେଜିତ ହେବା ଅତି କ୍ଷତିକାରକ |
ବିଶ୍ୱବିଦ୍ୟାଳୟ ପ୍ରସଙ୍ଗରେ ଅତୀତରେ ଅନେକ କ୍ରାନ୍ତିକାରୀ ପ୍ରସ୍ତାବ ବି କାଟ୍‍ ଖାଇ ଯାଇଥିଲା ଓ ସେଥିରୁ ଅନେକ ପ୍ରସ୍ତାବ ଅଦୃଶ୍ୟ ଐଶ୍ୱର୍ଯ୍ୟରୁ ଊଣା ନୁହେଁ | ଅତୀତରେ ସେମେଷ୍ଟର ସିସ୍ଟମ୍‌ ପ୍ରଣୟନ ସମୟରେ, ବା କ୍ରେଡିଟ୍‌ ସିସ୍ଟମ ସମୟରେ ବି ଦାମ୍ଭିକ ଅଜ୍ଞାନୀ ତଥା ଅନ୍ଧ ଉତ୍ତେଜିତ ବ୍ୟକ୍ତିଙ୍କର ଅଭ୍ୟୂଦୟ ହେଇଥିଲା | ଅବସର ପ୍ରାପ୍ତ ଉଚ୍ଚପଦସ୍ଥ ଅଧିକାରୀ ଗଣ ତାଙ୍କର ପ୍ରାକ୍‍-ଅବସର ଆଖ୍ୟା ବା ଉପାଧିର ଦମ୍ଭରେ ବିଷୟବସ୍ତୁ ଉପରେ ଉପଯୁକ୍ତ ଜ୍ଞାନ, ସୂଚନା ସଂଗ୍ରହ କରିବା ପରିବର୍ତ୍ତେ ସେଇ ଉପାଧିର ଗୌରବକୁ ବିଦୀର୍ଣ୍ଣ କରି ନିଜର ମତ ବ୍ୟକ୍ତ କରିଥାଆନ୍ତି ଓ ଫଳତଃ ସମାଜ ହିଁ କ୍ଷତିଗ୍ରସ୍ତ ହେଇଥାଏ | ଠିକ ସେଇପରି ଭାବରେ ଅନେକ ବ୍ୟକ୍ତି ନବୁଝି ନଶୁଝି ସମ୍ମୁଖରେ ଥିବା ମୁଲ୍ୟବୋଧକ ଐଶ୍ୱର୍ଯ୍ୟର ମୁଲ୍ୟ କଳନା କରିବାରେ ଅକ୍ଷମ ହେଇ ଉତ୍ତେଜନାରେ ତାକୁ ହରାଇବସିବା ବି ସମାଜ ପାଇଁ ଅହିତକର | ଦେଶର ଉନ୍ନତି ପାଇଁ ଆମକୁ ନିଜକୁ ସ୍ଥିର ତଥା ଧୈର୍ୟ୍ୟର ସହ ସୂଚନା ଓ ଜ୍ଞାନ ଆହରଣ କରି ପ୍ରସ୍ତାବର ଆଲୋଚନା କରି ଅଦରକାରି ଉତ୍ତେଜନାରୁ ଦୂରରେ ରଖି ପାରିଲେ ସମାଜର ଅନେକ ଲାଭ ହେବ |
ଅରୁନ୍‌ ପୂଜାରୀ


1 comment:

Note: Only a member of this blog may post a comment.