Sunday, September 26, 2010

ଜନ୍ମପୁର୍ବ-ଜୀବନ (editorial in Saptarshi)

ମହାଭାରତର ଅଭିମନ୍ୟୁ ବୃତ୍ତାନ୍ତ କାହାକୁ ଅଜଣା ନୁହେଁ | ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ | ଶ୍ରୀକୃଷ୍ଣ ଭଗ୍ନୀ ସୁଭଦ୍ରାଙ୍କୁ ଚକ୍ରବୁହ୍ୟ ଭେଦିବା କୌଶଳ କହୁଥିବା ସମୟରେ ସୁଭଦ୍ରାଙ୍କ ଗର୍ଭରେ ଥାଇ ଅଭିମନ୍ୟୁ ଏଇ ରଣକୌଶଳ ଶିଖିଥିଲେ | କିନ୍ତୁ ସୁଭଦ୍ରାଙ୍କୁ ନିଦ ଲାଗିବାରୁ ଶ୍ରୀକୃଷ୍ଣ ଚକ୍ରବୁହ୍ୟରୁ ବାହାରିବା ଜ୍ଞାନ ବ୍ୟାଖ୍ୟା କରିପାରିନଥିଲେ | ପରବର୍ତ୍ତୀ ସମୟରେ ସେଇଟା ହିଁ ଅଭିମନ୍ୟୁର ମୃତ୍ୟୁର କାରଣ ହେଲା | ପ୍ରଶ୍ନ ଉଠେ ସତରେ କ’ଣ ଗର୍ଭରେ ଥିବା ଭୃଣ ବାହ୍ୟଜଗତ ସହ ଯୋଗାଯୋଗ କରିପାରେ ଓ କ’ଣ ସେ ସମୟର ଶିକ୍ଷା ଜୀବନସାରା ଅପାଶୋରା ରହେ | କିମ୍ବଦନ୍ତୀ ହେଲେବି ଅଭିମନ୍ୟୁ କଥାରୁ ଆଉ ଏକ ପ୍ରଶ୍ନ ମନରେ ଉଠେ | ଯଦିବି ଭୃଣ ବାହ୍ୟ ଜଗତ ସହ ଯୋଗାଯୋଗ କରିପାରୁଥିବ, କ’ଣ କେବଳ ଗର୍ଭଧାରିଣୀ ମାତା ହିଁ ଯୋଗାଯୋଗର ମାଧ୍ୟମ | ଯେମିତି ଏ ଉପାଖ୍ୟାନରେ ମାଧ୍ୟମ ସୁଭଦ୍ରା ଶୋ‍ଇ ପଡିବାରୁ ଅଭିମନ୍ୟୁ ଓ ଶ୍ରୀକୃଷ୍ଣ ମଧ୍ୟରେ ଯୋଗାଯୋଗ ଛିନ୍ନ ହେଇଗଲା | ପୁରାଣରେ ଭୃଣର ବାହ୍ୟ ଜଗତ ସହ ଯୋଗାଯୋଗ ସମ୍ୱନ୍ଧରେ ଅନେକ ବର୍ଣ୍ଣନା ମିଳେ | ମାତାଂକ ଗର୍ଭରେ ଥିବା ସମୟରେ ମାତା ଶୁଣୁଥିବା ଭକ୍ତିରସ ସଂଗୀତରେ ପ୍ରହ୍ଲାଦ ପ୍ରଭାବିତ ହେଇ ରାକ୍ଷସ କୂଳରେ ଜନ୍ମ ନେଇ ବି ଭଗବାନ ବିଷ୍ଣୁଙ୍କ ଏକ ମହାନ୍‍ ଭକ୍ତ ହେଲେ | ଋଷି ଉଦ୍ଦାଳକଂକ ଶିଷ୍ୟ କୋହାଡ ଋଷିଂକ ତୃଟିପୂର୍ଣ୍ଣ ଶ୍ଳୋକ ଉଚ୍ଚାରଣ ସମୟରେ ତାଂକ ସ୍ତ୍ରୀ ଗର୍ଭରେ ଥିବା ଭୃଣ ସଂଶୋଧନ କରିବାକୁ ଚେଷ୍ଟା କଲା ଫଳରେ ପିତାଂକ ଶାପରେ ଅଷ୍ଟବକ୍ର ହେଇ ଜନ୍ମ ଗ୍ରହଣ କଲେ | ଆଧୁନିକ କାଳରେ ଶୁଣାଯାଏ ଯେ ତବଲା ଗୁରୁ ଉସ୍ତାଦ୍‍ ଆଲ୍ଲା ରଖା ସ୍ତ୍ରୀ ଗର୍ଭବତୀ ଥିବା ବେଳେ ସ୍ତ୍ରୀଂକ ତଳିପେଟରେ ଅଙ୍ଗୁଠି ଦ୍ୱାରା ମୃଦୁ ତାଳ ଦେଉଥିଲେ ଓ ଫଳ ସ୍ୱରୁପ ତାଂକ ପୁତ୍ର ଜାକିର୍‍ ହୁସେନ୍‍ ପିଲା ଦିନରୁ ତବଲା ଗୁରୁ ହେଇଥିଲେ | ସବୁ କାହାଣୀ ପରି ମନେ ହୁଏ | କିନ୍ତୁ ସତରେ କ’ଣ ଭୃଣ ଗର୍ଭରେ ଥିବା ସମୟରେ ବାହ୍ୟ ଜଗତର ଭାଷା ବୁଝିପାରେ, ପରିଚିତ ସ୍ୱର ମନେରଖିପାରେ? ମରଣୋପରାନ୍ତ-ଜୀବନ ଭଳି ଜନ୍ମପୁର୍ବ-ଜୀବନ ସମ ପରିମାଣରେ ରହସ୍ୟମୟ | କିମ୍ବଦନ୍ତୀ ଖାଲି ନୁହେଁ ବାସ୍ତବ ଜୀବନରେ ଏହାର ସତ୍ୟତା ରହିଛି | ଆମ ବିଶ୍ୱାସ ଯେ ଶିଶୁର ବ୍ୟକ୍ତିତ୍ୱର ମୂଳଦୂଆ ଜନ୍ମର ବହୁ ପୁର୍ବରୁ ଗଢି ଉଠିଥାଏ | ପ୍ରଥମତଃ ଜନନୀ ମାଧ୍ୟମରେ ଭୃଣ ଅମ୍ଳଜାନ ତଥା ଖାଦ୍ୟ ଗ୍ରହଣ କରିଥାଏ | ଜନନୀର ହର୍ଷ, ଉଲ୍ଲାସ, ବିଷାଦ, ଖାଦ୍ୟପେୟ, ବ୍ୟାୟାମ ଓ ଅଭ୍ୟାସ, ଭାବନା ଓ ଚିନ୍ତାଧାରା, ଅନ୍ୟାନ୍ୟ ଜୀବନ ଶୈଳୀ ଶିଶୁର ବିକାଶରେ ପ୍ରଭାବ ପକାଇଥାଏ | ଏଇଥିପାଇଁ ଜନନୀର ଆଦର୍ଶ ଜୀବନ ଶୈଳୀ ବିଷୟରେ ଭାରତୀୟ ସଂସ୍କୃତିର ’ଗର୍ଭସଂସ୍କାର’ରେ ଦିଗନିର୍ଦ୍ଦେଶ ହେଇଛି | ଆଧୁନିକ ବିଜ୍ଞାନ ଯୁଗର ପ୍ରୟୋଗାତ୍ମକ ଆବିଷ୍କାରରୁ ଜଣାପଡେ ଛ’ମାସର ଭୃଣ କେବଳ ଶବ୍ଦ ଶୁଣିବା ଶକ୍ତି ନୁହେଁ ଶବ୍ଦ ଚିହ୍ନିବା ଶକ୍ତିବି ବିକାଶ କରିଥାଏ | ଶିଶୁର ସ୍ମରଣଶକ୍ତି ବି ଏକ ଜନ୍ମପୂର୍ବ ପ୍ରକୃତି | ପରିଚିତ ଶବ୍ଦକୁ ମନେ ରଖିପାରେ | ବିଶେଷତଃ ପିତା ମାତାଂକ ସ୍ୱର ତା ପାଇଁ ଅତି ପରିଚିତ ହେଇଥାଏ | ଗର୍ଭଧାରିଣୀ ମାତାର ନାଭି ବାଟ ଦେଇ ଶବ୍ଦଲହରୀ ବାହ୍ୟ ଜଗତରୁ ଔରସସ୍ଥିତ ଭୃଣ ପର୍ଯ୍ୟନ୍ତ ପହଞ୍ଚିପାରିଥାଏ | ଅଧିକାଂଶ କ୍ଷେତ୍ରରେ ପିତା ହିଁ ମାତାର ତଳିପେଟ ପାଖରେ ମୁହଁ ରଖି ନିଜର ଭାବି ସନ୍ତାନ ସହ ବାର୍ତ୍ତାଳାପ କରିବା ଚେଷ୍ଟାରେ ଆନନ୍ଦ ଅନୁଭବ କରେ | ଏଇ ଅନୁସନ୍ଧାନରୁ ଜଣାପଡେ ଯେ ଶିଶୁ ଗର୍ଭରେ ଥିବା ସମୟରେ ବି ମାତାଂକ ବିନାସାହାଯ୍ୟରେ ଶବ୍ଦ ଶୁଣିବା ଓ କିଛି ପରିମାଣରେ ବୁଝିବା ସାମର୍ଥ୍ୟ ରଖିଥାଏ | ଧୀରେଧୀରେ କାର୍ରେ ହର୍ଣ୍ଣ, ଡୋର୍‌ବେଲ୍‍ ଇତ୍ୟାଦିର ଧ୍ୱନି ମନେରଖିବାରେ ସକ୍ଷମ ହେଇଥାଏ | ସୁଭଦ୍ରାଂକ ଗର୍ଭରେ ଥିବା ଶିଶୁର ସିଧାସଳଖ ଭାବରେ ଶ୍ରୀକୃଷ୍ଣଙ୍କ ବର୍ଣ୍ଣନା କରୁଥିବା ରଣକୌଶଳ ଶୁଣିପାରିବା କ୍ଷମତା ଥିଲା ଓ ସୁଭଦ୍ରାଂକ ନିଦ୍ରାବସ୍ଥାରେ ବି ଶ୍ରୀକୃଷ୍ଣ ଚକ୍ରବୁହ୍ୟରୁ ବାହାରିବା ଜ୍ଞାନ ଭୃଣକୁ ଶିକ୍ଷା ଦେଇପାରିଥିଲେ କୁରୁକ୍ଷେତ୍ର ବୋଧହୁଏ ଅନ୍ୟ ରୂପ ଧାରଣ କରିଥାନ୍ତା | ଭୃଣ ଉପରେ ଜନନୀର ଭାବପ୍ରବଣତା ବା ଭାବାବେଶର ପ୍ରଭାବକୁ ଅଧ୍ୟୟନ କରିବା ନିମନ୍ତେ ବୈଜ୍ଞାନିକମାନେ ଗର୍ଭବତୀ ମହିଳାଂକୁ ହାସ୍ୟରସ ବିଶିଷ୍ଟ ଓ ବିଷାଦପୂର୍ଣ୍ଣ ଚଳଚିତ୍ର ପ୍ରଦର୍ଶନ କରାଇ ଶିଶୁର ଚଳପ୍ରଚଳ ତଥା ହୃତ୍କଏମ୍ପନ ପରୀକ୍ଷାନିରୀକ୍ଷା କରି ବୁଝିପାରିଲେ କି ଜନନୀର emotional stateବି ଭୃଣ ଉପରେ ପ୍ରଭାବ ପକାଇଥାଏ | ଜନନୀ ପାଇଁ ନୁହେଁ ପୁରା ପରିବାର ପାଇଁ ଗର୍ଭଧାରଣ ପ୍ରକ୍ରିୟା ଓ ପ୍ରସବ ଅନୁଭୁତି ଏକ ବିଶେଷ ନୈସର୍ଗିକ ଆନନ୍ଦ | ଗର୍ଭ ପ୍ରାରମ୍ଭରୁ ପ୍ରସବ ପର୍ଯ୍ୟନ୍ତ ଏକ ଅନନ୍ୟ ଅନୁଭୁତି | ସମ୍ପୁର୍ଣ୍ଣ ପରିବାର ଏଥିରେ ଭାଗୀଦାର ହେଇଥିଲେ ବି ଭୃଣର ବିକାଶଶୀଳ ବ୍ୟବହାର, ତାର ଗତି, ସଞ୍ଚାର, କ୍ରନ୍ଦନ ତଥା ଆନ୍ଦୋଳନ କେବଳ ଜନନୀହିଁ ଅନୁଭବ କରିପାରିଥାଏ | ଏଇ ପରସ୍ପାରିକ ସମ୍ପର୍କ ଅନୁଭୁତିରେ ରହିଛି ଖୁସି, ଆନନ୍ଦ, ଯନ୍ତ୍ରଣା, ଉପଭୋଗ, ବିଷାଦ ତଥା ନିର୍ଜନତା ଓ ସାଂକେତିକ ବାର୍ତ୍ତାଳାପ | ଜନନୀ-ଭୃଣ ସଂପର୍କ ଏକାନ୍ତ ବ୍ୟକ୍ତିଗତ, ମାତୃତ୍ୱର ଏକ ଅକଥନୀୟ, ଅବର୍ଣ୍ଣନୀୟ ସୋପାନ ଓ ଜନକ ପ୍ରାୟତଃ ଏଇ ଅନୁଭୁତିରୁ ବଞ୍ଚିତ | ଏଇ ସମ୍ପର୍କରୁ ଗଢିଉଠେ ମାତାର ନୂତନ ଆଗନ୍ତୁକ ପ୍ରତି ମମତା, ଭବିଷ୍ୟତର ସ୍ୱପ୍ନ, କଲ୍ପନା ଓ ଆଶା | ମା ପେଟରେ ଶିଶୁର ହସ୍ତପଦ ସଞ୍ଚାଳନଜନିତ ଯନ୍ତ୍ରଣା ଅନେକ ଆଧୁନିକ ପିତା ଅନୁଭବ କରିବାକୁ ଚାହାନ୍ତି | ସେମାନେ ପ୍ରସବର ପ୍ରତିଟି ସୋପାନକୁ ଜନନୀସହ ଭାଗୀଦାର ହେବାକୁ ଚାହାନ୍ତି | ପୃଥିବୀରେ ଏମିତି କିଛି ମାନବସମାଜ ଅଛି ପିତା ସଦ୍ୟପ୍ରସବା-ମାତା-ପ୍ରାୟ ସମସ୍ତ ଯନ୍ତ୍ରଣା, ଉଦାସୀନତା, ବ୍ୟଗ୍ରତାର ଲକ୍ଷଣ ପ୍ରଦର୍ଶନ କରିଥାଏ| ଆଧୁନିକ ଯୁଗରେ ତାରରହିତ କୃତ୍ରିମ ଇନ୍ଦ୍ରିୟଦ୍ୱାରା ଗର୍ଭସ୍ଥିତ ଭୃଣର ଚଳପ୍ରଚଳ, ଶବ୍ଦ, ଉତ୍ତାପ, ହୃତ୍କକମ୍ପନ ଇତ୍ୟାଦି ପିତା ଅନୁଭବ କରି ମାତା ସହ ସମସ୍କନ୍ଧ ହେଇ ଗର୍ଭାବସ୍ଥାର ପ୍ରତିଟି ସୋପାନରେ ସହକର୍ମୀ, ସହଧର୍ମୀ ହେବା ସମ୍ଭବ ହେଇପାରୁଛି | ତା ବ୍ୟତୀତ ପିତା ସ୍ୱାଧୀନ ରୂପରେ ଗର୍ଭସ୍ଥିତ ସନ୍ତାନ ସହ ଯୋଗାଯୋଗ ବି ରକ୍ଷା କରିବା ସମ୍ଭବ ହେବ |

No comments:

Post a Comment

Note: Only a member of this blog may post a comment.