Sunday, September 26, 2010

ସୃଜନଶୀଳତା (editorial in Saptarshi)
ଆଦିମ କାଳରୁ ଆଲୋଚିତ ବହୁ ଚର୍ଚ୍ଚିତ କିନ୍ତୁ ରହସ୍ୟମୟ, ଅନାସାଧ୍ୟ ଓ ଅବୋଧ୍ୟ ମାନବଗୁଣ ମାନଂକ ଭିତରେ ସୃଜନଶୀଳତା ଅନ୍ୟତମ | ବେଦ, ପୁରାଣ, ବାଇବେଲ୍‍, କୋରାନ୍‍‍ରେ ଏଇ ମାନବଗୁଣ ବିଷୟରେ ଆଲୋଚନା କରାହେଇଛି | ଆଦିମ କାଳୁ ଆମର ବିଶ୍ୱାସ, କୌଣସି ନୈସର୍ଗିକ, ଅଲୌକିକ, ଦୈବିଶକ୍ତିର ଆଶୀର୍ବାଦ, ଦାନ, ବା ବର ସଦୃଶ ସୃଜନଶୀଳତା କିଛି ବ୍ୟକ୍ତିବିଶେଷକୁ ଜନ୍ମ ସମୟରେ ପ୍ରାପ୍ତ ହେଇଥାଏ | ସୃଜନଶୀଳ ଚେତନା ନେଇ କିଛି ଭାଗ୍ୟବାନ ମହାନ୍‍ ବ୍ୟକ୍ତି ଜନ୍ମ ନେଇଥାଆନ୍ତି | ଜନ୍ମ ପରୋପରାନ୍ତ ପାରୁପର୍ଯ୍ୟନ୍ତ ଚେଷ୍ଟା ଦ୍ୱାରା ବି ଏ ଗୁଣ ଲବ୍ଧି ଅସମ୍ଭବ | ଆମର ବିଶ୍ୱାସ ଯେ ମ୍ୟାଡାମ୍‍ କ୍ୟୁରି, ପିକାସୋ, ସେକ୍ପିସ୍ ଅର୍‍, ରାମାନୁଜମ୍‍, ବିବେକାନନ୍ଦ, ଗାନ୍ଧୀ ଇତ୍ୟାଦି ମହାପୁରୁଷଗଣ ଦୈବିଆଶୀର୍ବାଦ ଫଳରେ ଏକ ସର୍ବଶକ୍ତିଶାଳୀ ମସ୍ତିଷ୍କ ଧାରଣ କରି ଭୁମିଷ୍ଠ ହେଇଥିଲେ | ଅନ୍ୟପକ୍ଷରେ ମଣିଷର ବିଚିତ୍ର ଜୀବନଚର୍ଯ୍ୟା, ଜଟିଳ ଆନ୍ତର୍ଦ୍ୱନ୍ଦ ତଥା ମାନସିକ ଅବସାଦ ପରିପ୍ରେକ୍ଷୀରେ ଆଧୁନିକ ସମାଜକୁ ସୃଜନଶୀଳଚିନ୍ତନର ଚିରନ୍ତନପ୍ରବାହିତ ଧାରା ନିହାତି ଅନିବାର୍ଯ୍ୟ | ନୁତନ ଜ୍ଞାନର ଆହରଣ, ଅନ୍ୱେଷଣ ତଥା ଅନୁସନ୍ଧାନ କରି ବାସ୍ତବିକତାରେ ପରିଣତ କରିବାଟା ହିଁ ସୃଜନଶୀଳତାର ଲକ୍ଷଣ | ନୁତନ ଭାବ, ଅଭିପ୍ରାୟ ବା ଯୋଜନାକୁ କଳ୍ପନା କରାଯାଇପାରେ କିନ୍ତୁ ତାକୁ ବାସ୍ତବିକତାରେ ପରିଣତ ନକଲେ ତାକୁ ସୃଜନଶୀଳତା ନ କହି କଳ୍ପନାଶୀଳତା କୁହାଯିବ | ଅଧିକାଂଶ କଳ୍ପନା ସ୍ୱପ୍ନ ହେଇ ରହିଯାଏ ଓ ପ୍ରକୃତ ସୃଜନଶୀଳତା ହେଲା ମନରେ ଉଦ୍ରେକ ହେଇଥିବା ନୂତନ ଭାବନାକୁ ବାସ୍ତବିକତାର ରୂପଦେବା | ସୃଷ୍ଟି ହିଁ ସୃଜନଶୀଳତାର ଅନ୍ତିମ ଓ ଚୂଡାନ୍ତ ପରିଣତି | ସୃଜନଶୀଳତାର ଦୁଇଟି ସୋପାନ- ଚିନ୍ତନ ଓ ସୃଜନା- ନୂତନ ଜ୍ଞାନର ଚିନ୍ତନ ଓ ତାପରେ ସେଇ ଭାବନାର ପ୍ରୟୋଗଜନିତ ସମସାମୟିକ ମାନବସମାଜର ବ୍ୟବହାର୍ଯ୍ୟ ବା ଉପଯୋଗୀ ବାସ୍ତବିକତାର ରଚନା | ସୃଜନଶୀଳତା ବୁଦ୍ଧିମତ୍ତା ନୁହେଁ | ଅନେକ ଅତ୍ୟନ୍ତ ବିଚକ୍ଷଣ ବୁଦ୍ଧିମାନ ମହାପୁରୁଷ ସୃଜନଶୀଳ ନୁହନ୍ତି | ବୁଦ୍ଧିମତ୍ତା ପ୍ରତିକ୍ରିୟାଶୀଳ କିନ୍ତୁ ସୃଜନଶୀଳତା ସକ୍ରିୟ ଓ କିଛିଟା ସ୍ୱଂୟକ୍ରିୟ | ପୌରାଣିକ କିମ୍ବଦନ୍ତୀ ଓ ଅନ୍ଧବିଶ୍ୱାସକୁ ଭୂଲ୍‍ ପ୍ରମାଣ କରିଥିବା ଏଇ ଶତାବ୍ଦୀରେ ବୈଜ୍ଞାନିକ, ମନୋସ୍ତାତ୍ତ୍ୱିକ ଗବେଷଣାରୁ ଜଣାପଡେ କି ସୃଜନଶୀଳତାର କୌଣସି ଦୈବିଶକ୍ତିର ପ୍ରଭାବ ନୁହେଁ | ପ୍ରତିଟି ସାଧାରଣ ମାନବ ସୃଜନଶୀଳ ଶକ୍ତିର ଅଧିକାରି ଓ ପାରିପାର୍ଶ୍ୱିକ ପରିସ୍ଥିତି, ବାଲ୍ୟକାଳର ଶିକ୍ଷା ଓ ତାଲିମ ହିଁ ସୃଜନଶୀଳତା ପ୍ରସ୍ଫୁଟିତ କରିବାରେ ବିଶେଷ ପ୍ରଭାବ ପକାଇଥାଏ | ମାନବ ସ୍ୱାଭାବିକ ଭାବରେ କିଛିଟା ସୃଜନଶୀଳତା ଚେତନାଶକ୍ତି ନେଇ ଜନ୍ମ ହେଇଥାଏ | ଏଇ ଶକ୍ତି ଏକ ଅଂକୁର ସଦୃଶ | ସମୟାନୁକ୍ରମେ ବୟସ ବଢିବା ସାଂଗେସାଂଗେ ଅନୂକୁଳ ସ୍ଥିତି ଅଭାବରେ ସ୍ୱାଭାବିକ ଭାବରେ ଅନଂକୁରିତ ସୃଜନଶକ୍ତି ଦୁର୍ବଳ, କ୍ଷୟ ବା ନଷ୍ଟ ହେଇ ଯାଇଥାଏ | ଅଧୁନିକ ବୈଜ୍ଞାନିକ ମାନଂକର ବିଶ୍ୱାସ ଯେ ସୃଜନଶୀଳତା ଏକ କୌଶଳ ଯାହା ଅଭ୍ୟାସ-ରୂପି-ଉଦ୍ଦୀପକ ଦ୍ୱାରା ବିକଶିତ ବା ପ୍ରସ୍ଫୁଟିତ କରାଯାଇପାରେ | ସୃଜନ-କୌଶଳତା ଯେକୌଣସି କ୍ରୀଡାକୌଶଳ ବା ଚିତ୍ରକଳାକୌଶଳ ସଦୃଶ ଅନୁକୁଳ ପରିବେଶରେ ଅଂକୁରିତ ଓ ବିକସିତ ହୁଏ | କିଛି ମେଧାବି, ପ୍ରତିଭାସମ୍ପନ୍ନ, ଦେବଦତ୍ତ ମାନବ ମାନଂକ ନିମନ୍ତେ ସୃଜନଶୀଳତା ବିନା ବା କମ୍‍ ପ୍ରଚେଷ୍ଟାରେ ଅଂକୁରିତ ହୁଏ କିନ୍ତୁ ସାଧାରଣ ମାନବ ପାଇଁ କିଛିଟା ଉଦ୍ୟମ ନିହାତି ଆବଶ୍ୟକ | ଏହାର କାରଣ ହେଲା ସୃଜନଶୀଳତା ବିଭିନ୍ନ ମାନବ ଠାରେ ବିଭିନ୍ନ ଆକାରରେ ଅବସ୍ଥିତ ଥାଏ | ମଣିଷର ନିଜସ୍ୱ ବ୍ୟକ୍ତିତ୍ୱ ମଧ୍ୟ ସୃଜନଶୀଳତାର ସଫଳତା କାରଣ ହେଇ ପାରେ - ପରିବେଶର ପ୍ରତିକୂଳ ପରିସ୍ଥିତିରେ ନିଜ କଳ୍ପିତ ନୂତନ ଯୋଜନାକୁ ବାସ୍ତବିକତାର ରୂପ ଦେବାକୁ ହେଲେ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିଥାଏ ଓ ତାର ସମାଧାନ କ୍ରମରେ ବ୍ୟକ୍ତିତ୍ୱର ପ୍ରତିଫଳନ ହୁଏ | ଜଣାପଡେ କି ସୃଜନଶୀଳମହାପୁରୁଷ ମାନକଂୁର ପାରିବାରିକ ପରିବେଶ ଭିନ୍ନ ପ୍ରକାର, ବିଶେଷତଃ ତାଂକୁ ମିଳିଥିବା ସୁବିଧା, ପ୍ରୋତ୍ସାହନ, ଅଭ୍ୟାସ, ଶିକ୍ଷା, ପ୍ରେରଣା, ଅସ୍ପଷ୍ଟତା ଓ ସନ୍ଦିଗ୍ଧତା ପ୍ରତି ସହିଷ୍ଣୁତତା, ଆଶଂକା ପ୍ରତି ଚିରପ୍ରସ୍ତୁତି, ଅସାଧାରଣ ଦୂରଦୃଷ୍ଟି କ୍ଷମତା ତାଂକର ସୃଜନ-କୌଶଳତାରେ ଯଥେଷ୍ଟ ପ୍ରଭାବ ପକାଇଥାଏ | ସୃଜନଶୀଳତା ହେଉ ବା ସୃଜନକୌଶଳତା ହେଉ ମାନବ ସମାଜ ପାଇଁ ତାହା ଏବେ ବି ରହସ୍ୟମୟ | ଅଗଣିତ ପ୍ରଶ୍ନ ଏବେବି ଅନୁତ୍ତରିତ | ଉଦାହରଣ ସଦୃଶ, ସୃଜନଶୀଳତା ଜ୍ଞାନସୀମା ସିମିତ ନା ପ୍ରସାରଣଶୀଳ | ଜଣେ ରଚନାତ୍ମକ ଲେଖକ କଣ ଚିତ୍ରକାର ବି ହେଇପାରିବ ? ମାନବର ସୃଜନଶୀଳତା କଣ କେବଳ ଏକ ବିଷୟରେ ସୀମିତ? ଲିଓନାଡୋ ଭିନ୍ସିୁ ତ ଚିତ୍ରକାର, ବାସ୍ତୁକାର ଓ ଏକାଧାରରେ ଗଣିତଜ୍ଞ ବି ଥିଲେ | ମଣିଷର ମସ୍ତିଷ୍କର ଜନନୀକା ମଧ୍ୟରେ ସୃଜନଶୀଳତାର ଏକକୈନ୍ଦ୍ରିକ ନା ବହୁକୈନ୍ଦ୍ରିକ | ଏ ରହସ୍ୟ ମାନବ ଜାତିର ବୈଜ୍ଞାନିକ ଗବେଷଣାର ଆଗାମୀ ଦିନ ପାଇଁ ଏକ challenge |

No comments:

Post a Comment

Note: Only a member of this blog may post a comment.